Unknown

 

 

 

 

 

 

 

 

 

 

 

ମଣିକାଞ୍ଚନ

କୁନ୍ତଳା କୁମାରୀ ସାବତ

 

ସୂଚୀପତ୍ର

 

୧.

ପ୍ରଥମ ସର୍ଗ

୨.

ଦ୍ୱିତୀୟ ସର୍ଗ

୩.

ତୃତୀୟ ସର୍ଗ

୪.

ଚତୁର୍ଥ ସର୍ଗ

୫.

ପଞ୍ଚମ ସର୍ଗ

☆☆☆

 

ମଙ୍ଗଳା ଚରଣ

 

ରସରୂପେ ରସମୟ ହୃଦେ ପଡ଼ି ଝରି ।

ରସସାଗରେ ସରଜି କବିତାଲହରୀ

ବାଣୀରୂପେ ବୀଣାପାଣି

ଭାରତ-ଭାରତୀ,

ମାନସ-ସାରସାନନା ଶ୍ଵେତା ସରସ୍ୱତୀ ।

ଶବ୍ଦରୂପୀ ପରଂବ୍ରହ୍ମ ଓଁକାର ଝଙ୍କାର

ପରଶ ପରଶ ମୋର ମର୍ମ-ବୀଣାତାର ।

ଅପୂର୍ବ ଅଦ୍ଭୁତ ଚିତ୍ର ତୂଳିକାରଞ୍ଜନ

ଲଭୁ ଚରଣରେଣୁକା ଏ ମଣିକାଞ୍ଚନ ।

ଶିଳ୍ପୀ ତୁମେ, ପାତ୍ର ମୁହିଁ, ମୋ ଦୀନ ଲେଖନୀ

ତବ ସଞ୍ଜିବନୀ ମନ୍ତ୍ରେ ମୋହିବ ଅବନୀ

☆☆☆

 

ଭାରତ ବନ୍ଦନା

 

ଭାଇରେ !

ଯେ ଦେଶ ମାଟିରେ ଜନମ ଆମର

(ଭାଇ, ସେ ତ) ଆମରି ଜନନୀ-ରାଣୀ,

ଆମରି ସ୍ୱର୍ଗ, ଆମରି ଶାନ୍ତି

(ଭାଇ, ସେ ତ) ଆମରି ଅନ୍ନପାଣି !

ଭଉଣୀ !

ତାହାରି କୋଳରେ ଜନମିଥିଲେ ଲୋ

ସାବିତ୍ରୀ ସତ୍ୟବାନ,

ପତିବ୍ରତେ ସତୀ ! ତୋହରି ଧରମ

ଆଦର୍ଶ ମହୀୟାନ୍ !

ଧ୍ରୁ - ଗାଅ ସର୍ବେ ଭାଇଭଉଣୀ ଗାଅ ସତୀର ଜୟ,

ସତୀ ମା’ ସନ୍ତାନ ତେତିଶ କୋଟି,

ଆଉ କି ଲଜ୍ଜା ଭୟ !

☆☆☆

 

ସୂଚନା

 

ଅଛି ବହୁ ଦେଶ ଧରାଧାମେ,

ନମେ ମଥା କିନ୍ତୁ କାହା ନାମେ ?

ସେ ମୋର ପୁଣ୍ୟ ଭାରତ !

ଅଛି ବହୁ କୀର୍ତ୍ତି ଦେଶାନ୍ତରେ,

ଶ୍ରେଷ୍ଠ କିଏ ତହିଁ ଗୌରବରେ ?

ସେ ମୋର ପୁଣ୍ୟ ଭାରତ !

ଅଛି ବହୁ ବିଦ୍ୟା ଦେଶେ ଦେଶେ,

ପରା ବିଦ୍ୟା ଯହିଁ ନାହିଁ ଲେଶେ,

ଅଛି ବହୁ ଗଳ୍ପ, ପୁରାଣ,

ଅଛି ବାଇବଲ, କୁରାଣ,

ଅଛି ଇଲିଅଡ଼୍‌, ଇନିଡ଼୍‌, ଓଡ଼େସି,

ଡାନ୍ତେ, ଭରଜିଲ୍‌, ଗେଟେ ହଦିସି;

ନାହିଁ କାହିଁ କିନ୍ତୁ ସେ ରାମାୟଣ,

ମହାଭାରତର ଆଦର୍ଶ ପାବନ;

ଜୀବନ୍ତ ମହିମା ଗରିମାମଣ୍ଡିତ

ଭାରତୀୟ ନୀତି-ଧରମରଚିତ ।

ନମେ ଶିର ତେଣୁ ପାଦେ ତା’ର,

‘ଭାରତ’ ଭାରତ-ଦେଶସାର ।

 

ମଣିକାଞ୍ଚନ

ପ୍ରଥମ ସର୍ଗ

 

ଯେ ଦେଖେ କହେ ସେ, ନାହିଁ ତ ମରତେ

ଏସନ ଉଦ୍ୟାନ ଆନ,

ନନ୍ଦନ ଗରବ– ଖଣ୍ଡନ କାରଣ

ଭବେ ଏ କି ବିଦ୍ୟମାନ ?

ଅଛି ନନ୍ଦନରେ ପାରିଜାତ ପରା

ଶଚୀ-ରୁଚି ଅନୁସରି,

କିନ୍ତୁ ଏ ଉଦ୍ୟାନ ଫୁଲ ପସରାକୁ

ସେ ଫୁଲ ହେବ କି ସରି ?

ଶିଳ୍ପ ଚାତୁରୀକି ଜିଣିପାରେ ହେଳେ

ନିସର୍ଗ-ସୁଷମା ଛବି,

ନୋହିଲା କଥା ତ ହୋଇଛି ଏଠାରେ

କା ଶିଳ୍ପ କୌଶଳ ଲଭି ?

ଶତ ଶତ ତରୁ- ବଲ୍ଲରୀ-ବିଥିକା

ପୁଞ୍ଜୀଭୂତ ସୁଯତନେ,

ଉଦ୍ୟାନ କି ବନ ଆଦ୍ୟ ଦରଶନେ

ଭ୍ରମ ଉପୁଜଇ ମନେ ।

ଅଗଣିତ ତରୁ- ବ୍ରତତୀ-ବରଜ

ବନ୍ଧାବନ୍ଧି, ଛନ୍ଦାଛନ୍ଦି,

ସଞ୍ଚ-ଘଞ୍ଚ-ପତ୍ର- ଡାଳ ଗହଳରେ

ତିମିର କି ଚିର ବନ୍ଦୀ !

କୃତ୍ରିମ ସରିତ ମେଲି ଶତ ଶାଖା

ବହିଯାଏ ଦିଶେ ଦିଶେ,

କୃତ୍ରିମ-ଶଇଳ- କୋଳରୁ ଜନମି

ପ୍ରାକୃତିକ ସତେ କି ସେ !

କାହିଁ ସେତୁବନ୍ଧ, କାହିଁ ବା କନ୍ଦରା,

କାହିଁ ତୀରେ ତରୁଦଳ,

କାହିଁ ବା ପ୍ରପାତ ପରାଏ ଝରଣା

ଶୁଭେ ଜଳ କଳକଳ ।

ଠାବେ ଠାବେ କାହିଁ ହ୍ରଦ ପରା ସରଃ

ବିସ୍ତାରିତ ନୀଳ ନୀରେ,

ଗହଣେ ପ୍ରବେଶି ଆନ ପଥେ କାହିଁ

ଶାଖା ମେଲାଏ ରୁଚିରେ ।

ଫୁଟି ତହିଁ ପୁଣି କମଳ ମୁକୁଦ

କହ୍ଲାର ଉତ୍ପଳଦଳ

ଅସ୍ତ ରବି-କର- କନକ-ରସାଣେ

ଦିଶୁଛନ୍ତି ଝଲମଲ ।

ଅବା ସେ ସଲିଳ- ବାସିନୀ ଅମରୀ-

ରତନ ଶୋଭା-ବଜାର,

ଶଙ୍ଖ, ମରକତ, ଇନ୍ଦ୍ର, ପଦ୍ମରାଗ,

କାଞ୍ଚନ, ପ୍ରବାହ ହାର ।

ମନେହୁଏ ପ୍ରତେ, ତରଳ ତରଙ୍ଗେ

କନକ-କିରଣଜାଳ,

ନୀଳ ସୂତା-ବୀଣା ସୁବର୍ଣ୍ଣ ଚାଦରେ

ଚିତ୍ର ମଣିଫୁଲ ଡାଳ ।

ହୀରା ଖଣ୍ଡ ପରି ଉଜ୍ଜ୍ୱଳ ଶଫରୀ

ଖେଳେ କଲ୍ଲୋଳିତ ଜଳେ,

ରୌପ୍ୟ ଶଳ୍‌କାବୃତ ବୃହତ ରୋହିତ

ଖେଳୁଥାଏ ତଳେ ତଳେ ।

ସ୍ୱଚ୍ଛ ନୀଳ ନୀର- ଦରପଣ ପଟେ

ଝଲକିତ ରସ-ଆଖି,

ଅବା ସେ ତାରକା- ଜ୍ୟୋତି ମୋତିପନ୍ତି

ନୀଳାଭ୍ରେ ରହିଛି ଲାଖି ।

ନୀଳ ଅଳି-ଆଜି କରୁଛନ୍ତି କେଳି

ଢଳି ଢଳି କଞ୍ଜ କୋଳେ,

ଛଳ ମିଳିନ୍ଦ ସେ ଚୋର ମିଳିଛନ୍ତି

ମକରନ୍ଦ ମଧୁ ଭୋଳେ ।

ମରାଳମାଳିକା ମୃଣାଳ-ଆହାରେ

କରୁଛନ୍ତି କଳନାଦ,

ବିଷ (ସ) ନାମ ବହି ନ ପାଇଛି ତ୍ରାହି,

ପଦ୍ମଗଣେ ପରମାଦ ।

ଚଞ୍ଚୁ ଚରଣ କି ଗଢ଼ା ଜମ୍ବୁନଦେ,

ପୁଶଙ୍ଗେ ଗଢ଼ା କି ଦେହ,

ରବି ନାମେ ନାମ ଏକ ବୋଲି ଅବା

ପଦ୍ମେ ଏ ନିଷ୍ଠୁର ସ୍ନେହ ।

ବୁଲି ବାଙ୍କ ବାଙ୍କ ଯାଇଛି ସରିତ

ଉଦ୍ୟାନ ଛନ୍ଦିଲା ପରି,

ତୀରେ ତରୁବଲ୍ଲୀ ବିବିଧ ପ୍ରସୂନ-

ଫଳେ ଉଭା ଶୋଭା ଧରି ।

ମୁକ୍ତା-ମଣିମାଳା ଉଦ୍ୟାନ ଆରାମ-

କବରୀ ଛନ୍ଦିଛି ଅବା,

ନନ୍ଦନ-ସୁଷମା- ପ୍ରଭା ବହି କିରେ

ରାଜେ ଶିରେ ଫୁଲଗଭା !

ଶାଖା ପରସ୍ପର ଜଡ଼ି ନବ ଶାଖା

ପ୍ରସୂତ ଅଦ୍ଭୁତ ରଙ୍ଗେ,

ଭିନ୍ନ ଫୁଲ ଫଳ ଦୋହଲି ପଡ଼ିଛି

ଏକା ଡାଳେ ଏକ ସଙ୍ଗେ

ଏକ ଅନ୍ୟ ସଙ୍ଗେ କାହିଁ ବା ପାଦପେ

ଫିଙ୍ଗନ୍ତି କୌତୁକେ ଫୁଲ,

କାହା ମୂଳେ ଅବା ଶୋକାକୁଳେ ଝରି

ଫୁଲ-ଅଶ୍ରୁରାଶି ଠୁଳ ।

କେ ପୁଣି କୁସୁମ- ଫଳ ଭାରେ ନଇଁ

ବନ୍ଦୁଛି ଚରଣ ଆନ,

ଗୁଣୀ ଆନ ଗୁଣ ପୂଜଇ, ଏ ପରା

ନୀତି-ରୀତି ସୁମହାନ ।

କାହିଁ ରୁକ୍ଷ ବୃକ୍ଷ- ବକ୍ଷେ କାନ୍ତ ଲତା

ଫୁଲହାସେ ସୁହାସିନୀ,

ପ୍ରବଳ ପୁରୁଷେ ଆଶ୍ରିଣ ଅବଳା

ସତୀତ୍ୱରେ ସୁହାଗିନୀ ।

ଡାଳେ ଡାଳେ ପକ୍ଷୀ ରଚି ନୀଡ଼ ସୁଖେ

ବୁଲୁଛନ୍ତି ଉଡ଼ି ଉଡ଼ି,

କୋଟରେ ବସିଣ କରେ କେ ସଙ୍ଗୀତ,

ନୀରେ କେ ଯାଉଛି ବୁଡ଼ି ।

ଅସ୍ତ୍ର-ରବି-କର ପୁଣ୍ୟଶ୍ରୀ-ପରଶେ

ଝକଝକ ପତ୍ରାବଳି,

ତଳେ ତଳେ ଛାୟା- ସ୍ମିଗ୍‌ଧ ମଧୁରତା

ବଚନ ଯାଇଛି ବଳି ।

ଶିରପରେ ଶୁଭ୍ର- ଚନ୍ଦ୍ରାତପ ସରି

ଘନୀଭୂତ ସୁନୀଳିମା,

ଅନନ୍ତ ଆକାଶ ତଳେ ସୁବିସ୍ତାର

ତରୁବଲ୍ଲୀ ଶ୍ୟାମଳିମା ।

ଶ୍ୟାମଳିମା ସେତ ନୁହେଁ ବିଶ୍ୱପତି-

ଶ୍ୟାମ ରୂପ ମନୋଲୋଭା,

ଫୁଲ ପରିମଳ- ମିଶ୍ରିତ ମଧୁର

ଶ୍ରୀମୁଖ ସୁହାସ-ଶୋଭା ।

ଧୀରେ ଧରାପରେ ଓହ୍ଲାଇ ଆସିଲା

ସୌମ୍ୟମୂର୍ତ୍ତି ସାୟନ୍ତନ,

ସତ୍ୱ-ଶ୍ୱେତ ଦିବା ତାମସୀ ତମିସ୍ରା

ମଧ୍ୟେ କି ରଜୋବନ୍ଧନ ।

ଛାୟାଲୋକ ଚିତ୍ର- ବସନା ସୁନ୍ଦରୀ-

ଲୋହିତ ରମ୍ୟ ଜଳଦ,

ସଜାଡ଼େ ସୀମାନ୍ତେ ସୀମନ୍ତିନୀ ଶୋଭା

ସିନ୍ଦୁରବିନ୍ଦୁ ସମ୍ପଦ ।

ଗୋଧୂଳି କୁଙ୍କୁମ- ଛୁରିତଲପନା,

ସ୍ୱଳ୍ପ-ତାରା-ରତ୍ନହାରା,

ବାଳ-କଳାକର- ମୁକୁଟ ମଣ୍ଡିତା,

କାବ୍ୟ-କେଶୀ ନେତ୍ର ତାରା ।

ଅସ୍ତାର୍କ-ଅଲକ୍ତ- ରଞ୍ଜିତଚରଣା

ସଜ ଫୁଲହାସେ ହସି

ସୁରଭି ନିଶ୍ୱାସେ ମୋହି ଦଶ ଦିଶ

ଗଲା କି ଉଦ୍ୟାନେ ପଶି !

ଆଲୋକ ଅନ୍ଧାର ବେନି ମଧ୍ୟେ ଉଭା

ବେନିର ସୁଷମା ଲଭି

ପରମାତ୍ମା ତୁଲେ ଜୀବାତ୍ମା ପ୍ରୀତିର

ଦିଶଇ ପ୍ରଶାନ୍ତ ଛବି ।

ସନ୍ଧ୍ୟା ନାମ ବହି ଆସି ସନ୍ଧିସ୍ଥଳେ

ମିଳାଏ ଆଲୋକ ତମ,

ବିଭୁ କୋଳେ ଅବା କ୍ଷୁଦ୍ର ମାନବାତ୍ମା

ଲଭେ ପୁଣ୍ୟ ଆଲିଙ୍ଗନ ।

ବଚନେ ବର୍ଣ୍ଣନା ନୁହେଁ ସେ ସୁଷମା

ନୀରବ-ସ୍ୱଭାବ-ଚିତ୍ର,

ପାପ-କଳୁଷିତ କ୍ଷିତିବକ୍ଷେ ସେ କି

ବ୍ରହ୍ମପ୍ରଭା ସୁପବିତ୍ର !

ଅବା ସେ ବିଶାଳ ପ୍ରେମର ବଜାର

ବିଶାଳ ବିଶ୍ୱରାଜାର,

ପବିତ୍ର ପସରା ବସିଛନ୍ତି ମେଲି

ଚଉଦିଗେ ଦିଗବାର ।

ପ୍ରାଚୀନଭଃପଟେ ମେଲିଛି କି ଆହା

ଚନ୍ଦ୍ର ତାରାମଣି ଥାଟ,

ପ୍ରତୀଚୀ ବସାଇ ରଖିଅଛି ପରା

କନକ-କୁସୁମ ହାଟ ।

ଉଦୀଚୀ, ଅବାଚୀ ଉଭା ବିପରୀତେ

ତିମିର ପସରା ଧରି,

ତହିଁ ତାରା ଶିରୀ କଳା-କଉଷେୟ-

ବାସେ ସୁନା ଫୁଲ-ଜରି ।

ପୂରବେ ଚାନ୍ଦିନୀ ଧାରା ସରି ଅବା

ପ୍ରେମର ମଧୁର ଶାନ୍ତି,

ବାରୁଣୀ ବଦନେ ଅମଳ, ଉଜ୍ଜ୍ୱଳ,

ପୁଲକ-ପାଟଳ କାନ୍ତି ।

ଉତ୍ତରେ ଦକ୍ଷିଣେ କରୁଣା ଲାବଣ୍ୟ

ଅନୁଗ୍ରହ ବିକଶିତ,

ତାରା ସ୍ମିତ ହାସେ ଦୁଃଖ-ତମ ଭେଦି

ବିଭୁକୃପା ବରଷିତ ।

ଫୁଲତରୁ ତଳେ ଉଭା ଏକାଳେ ଗୋ

ମରତେ ଅମରୀ ପରା,

ଧରା-ଉପବନେ ଝରି କି ପଡ଼ିଛି

ସ୍ୱରଗର ଫୁଲଝରା !

ବିମଳ ସନ୍ଧ୍ୟାର କୋମଳ ଛାୟାରେ

ଅନ୍ଧାରିତ ତରୁ ତଳେ,

ଲଳିତ କୋମଳ କାମିନୀ ମୂରତି

ଉଚିତ କି ଦୈବବଳେ !

କେ ଚାହିଁବ ଥରେ ଚାହିଁଯାଅ ଭଲେ

ପବିତ୍ରିଣ ନେତ୍ର ବେନି,

(ସତେ) ଉଭା ବର ବାମା ତ୍ରିଦିବ ଅବନୀ

ବେନିର ସୁଷମା ଘେନି ।

ବର୍ଣ୍ଣି କି ପାରିବ ଏ ଦୀନ ଲେଖନୀ

ଲବେ ବା ସୌନ୍ଦର୍ଯ୍ୟରାଶି,

ମାଧୁର୍ଯ୍ୟପୂରିତ ରସା-ଯୋଷା କାନ୍ତି

ସୁଧା ମାତ୍ର ପ୍ରତିଆଶୀ ।

ବୁଝାଇ ପାରିବି ନାହିଁ ଯଦି ଆନେ

ନିଜ ଭାବେ ହେବି ଭୋଳା,

ପଚାରେ ଯଦି କେ, କହିବି ଏତିକି,

(ସେ ତ) ରୂପ ଗୁଣ ବେନି ଗୋଳା ।

କବି-କବିତାକୁ ବଳିଛି ସେ ରୂପ,

ଅନୁଭବ ବସ୍ତୁ ମାତ୍ର,

ବିଶ୍ୱବ୍ରହ୍ମାଣ୍ଡର ସୌନ୍ଦର୍ଯ୍ୟଧାରଣେ

ଏକା ସେ କି ଯୋଗ୍ୟ ପାତ୍ର !

ସର୍ବାଙ୍ଗ ସୁନ୍ଦର, ସର୍ବାଙ୍ଗ ମଧୁର,

କହନ୍ତି ବା କଳାକାର,

କଳାକାର କିନ୍ତୁ କଳଙ୍କେ ଅଙ୍କିତ,

କ୍ଷୟବୃଦ୍ଧି ନିରନ୍ତର ।

ସର୍ବାଙ୍ଗେ ଉପମା ହେବ ବା କିପରି,

ମୁଖକୁ ତ ନୁହେଁ ସରି,

ନୟନ-କମଳେ ଯୁଗଳ କମଳ

(ଚନ୍ଦ୍ର) ମୃଗେକ ରହିଛି ଧରି ।

ଲଜ୍ଜା କ୍ଷୋଭେ ତେଣୁ ଚିବୁକେ, କପାଳେ,

କପୋଳେ ଉପମା ଲଭେ,

ସର୍ବାଙ୍ଗ ସୌନ୍ଦର୍ଯ୍ୟ- ସ୍ନିଗ୍‌ଧ-ଶୀତଳତା

କଉମୁଦୀ ପରାଭବେ ।

ହୋଇବ ଉପମା ଅବା ଏ କାରଣେ

ନିଶାନାଥ, ତାରାପତି,

ସୁନ୍ଦରୀ ତାରକା ଦଳପତି ଯୋଷା

ନିଜ ରୂପେ ରୂପବତୀ

ହୁଅନ୍ତା ବା ଆହା ନିଶାନ୍ତେ ସୁକାନ୍ତ

କୋମଳ କମଳ କଢ଼ି,

ପବିତ୍ର ଏ ଫୁଲ, ସେ ତ ବିଷନାଳ,

ପଙ୍କରୁ ଉଠିଛି ବଢ଼ି ।

ସରମେ ସାରସ ମରମେ ମରି କି

ପାଣି ଧରି ପାଦେ ପଡ଼େ,

ବିଷ-ବଳୟିତ ଭୁଜଯୁଗ-ଶିରୀ

କଣ୍ଟ ରୋମ ଶୋଭା ଗଢ଼େ ।

ନିରୁପାୟ ପଦ୍ମ ଶ୍ୱେତ ଶତପତ୍ରେ

ଭ୍ରମରେ ଆଣନ୍ତେ ଡାକି

ସୁଲୋଚନା ଲୀଳା- ଚାଳନେ କିନ୍ତୁ ସେ

ନେତ୍ର ପାଶେ ଯାଏ ଲାଖି ।

କହନ୍ତି ବା ଆହା ତରୁଣ ଅରୁଣ,

ସେ ତ ଖରଜ୍ୱାଳା-କର,

ଏ ଯେ ମନୋହର, ମଧୁର, ସୁନ୍ଦର,

ଶାନ୍ତ, ସୌମ୍ୟ ପ୍ରଭାକର

କେହି ତ ତୁଳନା ନୁହଁଇ ସଙ୍ଗତେ,

ନିଜର ତୁଳା ସେ ନିଜେ,

ଦିବ୍ୟ ପ୍ରଭା ତେଜ, ପୃଥିବୀ ସୌନ୍ଦର୍ଯ୍ୟ

ମୂର୍ତ୍ତି ଲଭି ଭବେ ବିଜେ ।

କାନ୍ତ କିଶଳୟ ଶ୍ୟାମଳ ମାଧୁରୀ

ଫୁଲ-ବାସ ହାସ ଝଳି,

ଚାନ୍ଦର ଚାନ୍ଦିନୀ- ଶୀତଳ ସୁଷମା

ଦିଶେ ଏକା ହେଲା ପରି ।

ରୂପ ତା ସୁଷମା, ରୂପ ଆବରଣ,

ରୂପ ତା କମଳ ଝଳି,

ଗୁଣର ମାଧୁରୀ ଆଶାର ବିକାଶ,

କମଳେ ସୁବାସ ଭଳି ।

ରୂପ ତା’ ସୁନ୍ଦର ଚନ୍ଦ୍ର-ଶୋଭାରାଶି,

ଗୁଣ ତା’ ଚାନ୍ଦିନୀଧାରା,

ରୂପ ଅବା ତା’ର ଉଷା ସୁବେଶିନୀ,

ଗୁଣ ତା’ ଉଜ୍ଜ୍ୱଳ ତାରା ।

ସୁଷମା ଆଲୋକେ ଆଲୋକିତ ଦିବା,

ଗୁଣ ଆବରଣେ ନିଶା,

କରୁଣେ କୋମଳେ, ସୁନ୍ଦରେ, ମଧୁରେ

ସନ୍ଧ୍ୟା ସ୍ନିଗ୍‌ଧ କାନ୍ତିମିଶା ।

ଆଖିଯୁଗ ତା’ର ଭାସନ୍ତା ମେଘ କି,

କାନ୍ତ ନୀଳ ଶ୍ୱେତ ରଙ୍ଗେ,

ଚାହାଣି ସତେ କି ଶୁଭ୍ର ସୂର୍ଯ୍ୟାଲୋକ

ମିଶିଅଛି ମେଘ ଅଙ୍ଗେ !

ଚରମେ ଦୋଳିତ ଚରଣଚୁମ୍ୱିତ

ଚିକକ୍‌ଣ ଚିକୁର ଭାର

ନୀଳାଭ୍ର, ତହିଁକି ତାରାବଳୀ ସମ

ବିଜଡ଼ିତ ମଣିହାର ।

ସ୍ଥିର ସୌଦାମିନୀ ଝଲକ ଧରେ କି

ସୁବାସିତ ଶୁଭ୍ର ଫୁଲ,

ଅବା ନୀଳ ବୀଚି କାଳିନ୍ଦୀ କମଳେ

ଶ୍ୱେତକାନ୍ତି ହଂସକୁଳ ।

ଅବା ସେ ତାମସୀ ଯାମିନୀ ଉପମା

ମୁଖ-ଚନ୍ଦ୍ର ଶୋହେ ହାସେ,

ସ୍ୱାତୀ ଚିତ୍ରା ବେନି ସ୍ମିତ ଶୋଭା ଘେନି

ଶ୍ରୁତିଯୁଗ ବେନି ପାଶେ ।

ସତେ ସଜବାସ- ସରସିଜ ଶୋଭା

ବରବଦନରେ ଝଳେ,

ଚୁମ୍ୱିତ ଚିକୁର ରୋଲମ୍ୱ ପରାଏ

ଚୁମ୍ୱ ଦିଏ ଗଣ୍ଡ-ସ୍ଥଳେ ।

ଗଣ୍ଡ ଗୋଲାପ କି ଚାନ୍ଦ, ଦରପଣ

କମଳ ପାଖୁଡ଼ା ରଙ୍ଗ,

ବର୍ଣ୍ଣୋଜ୍ଜ୍ୱଳେ ଯେଣୁ ସ୍ନିଗ୍‌ଧ ସ୍ମିତ ଶୋଭା

ଲଭିଅଛି ଏକସଙ୍ଗ ।

ଅବା ସେ ଲାବଣ୍ୟ ସିନ୍ଧୁର ତରଙ୍ଗ

ଅଧର ପ୍ରବାଳ ଆଳି,

କି ରଙ୍ଗେ ବିଧାତା, ଖଞ୍ଜିଛି ତହିଁକି

ଦନ୍ତପନ୍ତି ମୋତି ମାଳି ।

ହେବ ବା ସେ ସଜ ଜବା ଫୁଲ ଗୋଟା,

ଦନ୍ତ କୁନ୍ଦକଢ଼ିମାଳ,

ତିଳଫୁଲ ନାସା, ସୁରଭି ନିଶ୍ୱାସେ

ସୂଚଇ ବସନ୍ତ କାଳ ।

ବସନ୍ତେ ଫୁଟଇ ‘ବନମାଳୀ’ ଏ ଯେ

‘ନବମାଳି’ ମଧୁମତୀ,

ସୁରଭି ସୁଷମା- ସମୂହ ବହିଣ

ରୂପ-ରମ୍ୟା ପ୍ରିୟବତୀ ।

ରୂପ ତା’ ସୁନ୍ଦର ରୂପ ତା’ ଉଜ୍ଜ୍ୱଳ

ରୂପ ତା’ ଅମୃତସିନ୍ଧୁ,

ରୂପ ତା’ ଶରଦ ଶୀତଳ ଶୋଭନ

ସିନ୍ଧୁ-ପ୍ରହ୍ଲାଦନ ଇନ୍ଦୁ ।

ଧରାଶିରୀସାର ଲାବଣ୍ୟଲକ୍ଷ୍ମୀ କି

ବାସ-ବୀଚି-ବିଜଡ଼ିତ,

ପଦ୍ମାସନ ଛଳେ ରଙ୍ଗ ପଦତଳେ

ପଦ୍ମ ସତେ ବିରାଜିତ !

ତହୁଁ ଅଦଭୂତ କମଳ ଚମ୍ପକ

ଫୁଟିଣ ଏକତ୍ର ଠୁଳ,

ଭୁଜ ମୃଣାଳ ସେ, ପାଣି ଶତଦଳ,

ଅଙ୍ଗୁଳି ତ ଚମ୍ପାଫୁଲ ।

ବରବରନୀର ବର୍ଣ୍ଣସୁଷମାରେ

ସୁବର୍ଣ୍ଣ ବିବର୍ଣ୍ଣ ପରା,

ରୁଚିପତ୍ର ସୂଚୀ- ପତ୍ର ଆବରଣେ

ବିରସେ ପଶିଛି ତ୍ୱରା ।

ଲାଜେ କି ଶଶାଙ୍କ ପାରଦସଂକାଶ

କର୍ପୂର କି ଚୂର୍ଣ୍ଣକାୟ,

ତାରାମଣ୍ଡଳ ସେ ନଭସ୍ତଳତମେ

ଲୁଚି କହୁଛନ୍ତି ‘ହାୟ’ ।

ସ୍ୱର୍ଗ ମର୍ତ୍ତ୍ୟ ବେନି ମଧ୍ୟେ ରୂପଡ଼ୋରି

ଉଷା ଭାଲେ କାବ୍ୟ-ତାରା,

ଅନ୍ଧାର ଆଲୋକ ବେନି ମଧ୍ୟେ ଝଳି

ଜ୍ୟୋତିରେ ନୟନ-କାରା ।

ତୁଚ୍ଛ ଅଳଙ୍କାର ତୁଚ୍ଛ ତାହାଠାରେ

ମଳିନ ତାରକା ପରି,

ସେ ଯେ ଏକା ତାର ସୁଷମା ସୁପ୍ରଭା

ପୂର୍ଣ୍ଣମାସୀ ଶରବରୀ ।

ଭୂଷଣ-ଭୂଷଣ ଭୂଷଣ ତା’ଠାରେ

ବଢ଼ାଇଛି ନିଜ ଟେକ,

ବିଦ୍ୟାର ଭୂଷଣେ ଭୂଷିତ ଯେସନେ

ଜ୍ଞାନଶୀଳ ସୁବିବେକ ।

ସୀମନ୍ତେ ସୀମନ୍ତେ- ମଣି ଧନମଣି

ନିଜ ଭାଗ୍ୟ, ଦର୍ପ ହରେ

ନିଶାରେ ଉଦିତ ପାହାନ୍ତି ତାରାର,

ସେ ଲୁଚଇ ସୂର୍ଯ୍ୟ-କରେ ।

କର୍ଣ୍ଣ ଶୋହି ବେନି ମଣି କର୍ଣ୍ଣପୁର

ଶ୍ରବଣା ନକ୍ଷତ୍ର ସେ କି,

ମଧ୍ୟ ତାରା ନାସା ମଣିରେ ବିରାଜି

ମଥା ସେ ରହିଛି ଟେକି ।

କଣ୍ଠେ ମଣିମାଳା ତାରାମାଳା ସଙ୍ଗେ

ରଙ୍ଗେ କି ଭିଆଏ କଳି ?

ମେଘ ଅନ୍ତରାଳେ ଲୁଚନ୍ତି ତାରକା

ଲାଜେ ଶୋଭାକୁ ନ ବଳି ।

ବାହୁରେ ଅଙ୍ଗଦ ପ୍ରକୋଷ୍ଠ ଉଜ୍ଜ୍ୱଳ

ଇନ୍ଦ୍ରନୀଳମଣି ଚୁଡ଼ି,

ନାଗରୂପୀ ହେମ ମଣି ମଳୟ କି

ପାଣି ପଦ୍ମତଳେ ବୁଡ଼ି ।

ଚମ୍ପକ-କୋରକ- କରଜେ ଅଙ୍ଗୁରୀ

ବେନୀ ସେ ସୁବର୍ଣ୍ଣଶିରୀ,

କେ କା’କୁ କିଣିବ କଳି ନ ପାରିଣ

ବଢ଼ାନ୍ତି ବେନିର ଶିରୀ ।

କଟିରେ କନକ- କାଞ୍ଚିଦାମ ଶୋଭେ

ନାନା ରତ୍ନବିଜଡ଼ିତ,

ଛାୟାପଥ ସେ କି ଆକାଶ ଭରସେ

ମଧ୍ୟେ ଯେଣୁ ବିରାଜିତ !

ଚରଣେ ନୂପୁର ମଧୁର ନିକ୍ୱଣେ

ଭାବେ ମୁହିଁ ବୀଣାଜିଣା,

ଚରଣ ଚାଳନ ଭଙ୍ଗିମା ସତେ କି

ବିଶ୍ୱଜନ-ମନ-କିଣା !

ଫୁଲ୍ଲ ତରୁତଳେ ଡାଳଟି ଧରିଣ

ଉଭା ସେ ସୁନ୍ଦରୀବର,

ଦିଏ ପରିଚୟ ସ୍ନିଗ୍‌ଧ ନେତ୍ର ତା’ର

ସ୍ୱଭାବ କି ସୁମଧୁର !

ଆକୁଳ ଆଦରେ ଝରିପଡ଼େ ଫୁଲ

ଶୀର୍ଷେ, କେଶେ ଅବତଂସେ,

ଅପୂର୍ବ ନନ୍ଦିନୀ କା ମନୋନନ୍ଦିନୀ,

ଜନମିଛି କେଉଁ ଦେଶେ ?

ସାଧାରଣ ନାରୀ ପରି ତ ନ ଦିଶେ,

ଦେବୀ-ବରଦତ୍ତା କନ୍ୟା,

କଉଶଲ୍ୟା ରାଣୀ ଗରଭେ ଧରିଣ

ନାରୀକୁଳେ ହେଲେ ଧନ୍ୟା ।

ସ୍ୱଭାବେ ସୁନ୍ଦର ମଦ୍ରଦେଶ, ତହିଁ

ନରେଶ ବୀରେଶ, ଜ୍ଞାନୀ,

ଧାର୍ମିକ, ସୁଶୀଳ, ସଂଯମ-ଆଚାରୀ,

ଯୋଗରତ, ମହାଦାନୀ ।

ଷୋଳକଳା ପୂର୍ଣ୍ଣ ନାରୀଶିରୋମଣି

ପାଟରାଣୀ ତାହାଙ୍କର,

ସୁଶୀଳା ସୁପତି- ବ୍ରତା, କିନ୍ତୁ ବନ୍ଧ୍ୟା,

ଦୁଃଖେ ହୃଦ ଜରଜର ।

ବିଶାଳ ସମ୍ପଦ ପୂରିତ ସୁନ୍ଦର,

ରାଜ୍ୟ ଥାଉଁ ଥାଉଁ ଆହା

ଗୋଟିଏ ସନ୍ତାନ ବହୁ ବର୍ଷଯାଏ

ରାଣୀ ନ ଲଭିଲେ ଯାହା ।

ଈଶଭକ୍ତି ଦୃଢ଼ ଧରି ସେ ହୃଦୟେ

ସେବିଲେ ସାବିତ୍ରୀ ପୂତ-

ଚରଣକମଳେ, ଦେବୀ ଯଥାକାଳେ

କଲେ ତାଙ୍କୁ ଭାଗ୍ୟଯୁତ ।

ଅପୂର୍ବ ନନ୍ଦିନୀ- ରତନ ଯତନେ

ଦେଲେ ସେବକର କରେ,

ନେଲେ ଅଙ୍କେ ତୋଳି ରାଜାରାଣୀ ହର୍ଷେ

ଅପୂର୍ବ ସେ ଦେବୀ ବରେ ।

ଦେବୀଦତ୍ତା, ତେଣୁ ‘ଦେବୀ’ ନାମ ଘେନି

ଅମରୀ ସେ ବରରମା,

‘ସାବିତ୍ରୀ’ ଆଦରେ ଡାକିଲେ ଜନନୀ,

ସାବିତ୍ରୀ ସେ ସର୍ବୋତ୍ତମା ।

ଆଜି ତ ସାବିତ୍ରୀ ଫୁଲ ଉଦ୍ୟାନରେ

ବୁଲୁଅଛି ଏକାକିନୀ,

କି ଭାବନା ତା’ର କିଶୋର ପରାଣେ

କରେ ତାକୁ ଉନ୍ମାଦିନୀ ।

ପ୍ରଶାନ୍ତ, ଆୟତ ନୀଳ ନେତ୍ର ତା’ର

ଜଣାଏ ସେ ଭାବବତୀ,

ତରୁଣ ଯୌବନ ପଦାର୍ପଣ କରି

ଶୁଭ୍ରାଙ୍ଗୀ ଶୋଭାଙ୍ଗୀ ଅତି ।

ସଖାମେଳେ ତା’ର ନ ମିଶଇ ମନ

ତୁଚ୍ଛ ହାସ ପରିହାସେ,

ତୃପ୍ତ ନୁହେଁ ସେ ତ ରତ୍ନ ଆଭରଣେ

ମଣି କଉଷେୟ ବାସେ ।

ଅଯତ୍ନେ କବରୀ ଖସିପଡ଼େ ତା’ର,

ନ ଖୋସେ ନିଜେ ସେ ଫୁଲ,

ସରାଗେ, ଆଦରେ ନିରେଖେ ଆରାମେ,

ସଜ ଫୁଲରାଶି ଠୁଳ ।

ଛିଣ୍ଡାଇ କେ ଦୋଳି ବିଞ୍ଚିଲେ କୁସୁମ

ଆକୁଳେ କାନ୍ଦେ ତା’ ଆଖି,

ଫୁଲର କୋମଳ ପରାଣବ୍ୟଥା କି

ଯାଏ ତା’ର ହୃଦେ ଲାଖି !

ଲାବଣ୍ୟପିତୁଳା କୋମଳା ସେ ବାଳା,

କୋମଳ ପରାଣ ତା’ର,

କ୍ଷୁଧିତ, ତୃଷିତ, ଦୀନ ଜନନୀ ସେ

ଅନ୍ନପୂର୍ଣ୍ଣା ଅବତାର ।

ପିତୃ ପ୍ରିୟତମା ଆଦରିଣୀ ଜେମା,

ମାତାଙ୍କ ନୟନମଣି,

ଗୁଣରେ ସତେ କି ଧରଣୀଧାମରେ

ରମଣୀ-ସୀମନ୍ତମଣି !

କଣ୍ଠେ ତା’ର ସତେ ଉଦିତା ଭାରତୀ

ଅମୃତ ବଲ୍ଲକୀ ଯୋଗେ,

ରୂପେ ଗୁଣେ ପୂଜା- ଫୁଲଟି ପରାଏ

ଲାଗିବ କି ଦେବଭୋଗେ ?

ସନ୍ଧ୍ୟା ଗାଢ଼ତର ହେଲାଣି ତଥାପି

ସେ ପଟେ ନାହିଁ ତ ଆଖି,

ନୀରବେ ନିଶ୍ଚଳେ ଶୂନ୍ୟ ନଭୋଭାରେ

ରହିଛି କିମ୍ପାଇ ଲାଖି ?

ବାହ୍ୟନେତ୍ରେ ସେ ତ ଦେଖେ ବିଶ୍ୱଶୋଭା,

ମନୋନେତ୍ରେ ଦେଖେ ଆନ,

ମଧୁର, ସୁନ୍ଦର, ଉଜ୍ଜ୍ୱଳ ରାଜ୍ୟର

ସ୍ୱପ୍ନ, ଶୁଣେ ସୁଧାତାନ ।

ଜଡ଼ ବିଶ୍ୱ ତାର ଦେଖେ ଜଡ଼ ଆଖି

ଦେଖେ ଆତ୍ମା ଆତ୍ମାସତ୍ତା,

ନବୀନ ଯୌବନେ ନବୀନା ବାଳିକା

କି ଭାବମାଦକେ ମତ୍ତା ?

ସଖୀ ସହଚରୀ ଦେଖନ୍ତି ଅନାଇ

ସଖୀ ତାଙ୍କ ଦେବୀସମା ।

ନ ମଜ୍ଜିଣ କ୍ଷୁଦ୍ର ତୁଚ୍ଛ ରଙ୍ଗରସେ

ରହିଥାଏ ଉନମନା ।

ଧୀର ସ୍ୱରେ ଅତି କଥା ସେ କହେ ଗୋ

କଳକଣ୍ଠ-କଣ୍ଠ ଜିଣି,

କଷ୍ଟ କାହା ମନେ ନ ଦିଏ କ୍ଷଣକ

ସ୍ନେହେ ନିଏ ସର୍ବେ କିଣି ।

ସଙ୍ଗୀତେ ସାବିତ୍ରୀ ରତା ଅତିରେକେ,

ସଙ୍ଗୀତେ କି ସରସ୍ୱତୀ,

ରୂପେ ଯେଣୁ ସମା ଶଚୀ, ଶିରୀଙ୍କର,

ଗୁଣେ ପୁଣି ହୈମବତୀ ।

ରୂପେ କି ଯମୁନା, ଗୁଣେ କି ଜାହ୍ନବୀ,

ବେଦମାତା* ଧର୍ମମତି,

ଅଙ୍ଗେ ଗଙ୍ଗାଶିରୀ, ସୁକେଶେ କାଳିନ୍ଦୀ

ସରସ୍ୱତୀ ଭୂଷାବତୀ ।

ରୂପେ, ଗୁଣେ, ଶୀଳେ, ରେବା ସଙ୍ଗେ କୃଷ୍ଣା,

କାବେରୀ ମିଳିତ ପରା,

କେଉଁ ଦିବ୍ୟ ଶୈଳୁଁ ଅବତରି ତ୍ୱରା

ମଣ୍ଡିଅଛି ମଦ୍ର-ଧରା !

ଅନ୍ତଃପୁରେ ଏଣେ ‘‘କାହିଁ ଗୋ ସାବିତ୍ରୀ’’

ପଚାରିଲେ ରାଣୀ ଆସି,

କହିଲେ କିଙ୍କରୀ, ‘‘ଉଦ୍ୟାନ ଭ୍ରମଣେ,

ଯାଇଛନ୍ତି ମୃଦୁହାସୀ’’ ।

‘‘ସଞ୍ଜ ତ ହେଲାଣି, ନ ଫେରିଲା କିମ୍ପା ?’’

କହିଲେ ଆକୁଳେ ରାଣୀ,

‘‘ଗହଣେ ସଖୀଏ ଯାଇଛନ୍ତି’’, କେହି

ବିହିଲାକ ପ୍ରତିବାଣୀ ।

ଦାସୀ ଜଣେ ଏଣେ ଫୁଲତରୁମୂଳେ

ସାବିତ୍ରୀ ପାଶକୁ ଯାଇ

କହିଲା କୋମଳେ, ‘‘ଆସ ଜେମାମଣି,

ଗଲେଣି ଜନନୀ ରାଇ ।’’

ଡାକେ ଜନନୀର ଭାଙ୍ଗିଲା ଚମକ,

ଗମେ ଧୀରେ ଇଭଗତି,

ପ୍ରତେ ହୁଏ ସତେ ଧରଣୀ ଉରସେ

ସ୍ଥିର ଶମ୍ପା କରେ ଗତି !

କ୍ଷଣକେ ଜନନୀ ଚରଣେ ପ୍ରଣମେ

ଆଦରିଣୀ ଶୋଭାଯୁତା,

ବାହୁଯୁଗେ ମାତା ଆଲିଙ୍ଗି ଆଦରେ

କୋଳ କରିନେଲେ ସୁତା ।

ପୋଛି ଗଣ୍ଡଯୁଗ ସ୍ନେହ ହସ୍ତେ ଦେଲେ

ଆଦରେ ଚୁମ୍ୱନ ଥରେ,

ସହସା ସହସ୍ର ଚିନ୍ତା ଗଲା ବହି

ହୃଦାର୍ଣ୍ଣବେ କ୍ଷଣକରେ ।

କ୍ଷଣେ ଚାହିଁ ମୁଖ ଭାବିଲେ କି ରାଣୀ

‘‘ସୁଖ ଆଉ କେତେଦିନ,

ଘୋର ଅମାନିଶି ଆସୁଛି ତ, ହେବ

ଅଙ୍କନଭ ଇନ୍ଦୁହୀନ ।

ଅବା ମୋ ଆଦର- ସାଗର ସଦନୁଁ

ଇନ୍ଦିରା ସେ ଯିବ ଚାଲି,

ମେନକା କୋଳରୁ ଉମା ଗଲା ପରି,

ଝୁରିବି ମୁଁ ଭାଳି ଭାଳି,

ଜନକ ଜନନୀ କନ୍ଦାଇ ସାବିତ୍ରୀ

ଯିବି ଚାଲି ପତି ଘରେ,

କିପରି ଧରିବି ତେବେ ଜୀବନ ମୁଁ-

ସୂଚାଇ ଦୀର୍ଘଶ୍ୱାସରେ’’

ପୁଣି ପରକ୍ଷଣେ ଭାବିଲେ, ‘‘ଧନ ମୋ

କରୁ ସୁଖେ ଘର ତା’ର,

ଭାଗ୍ୟେ ତା’ ସୁପତି ଦିଅନ୍ତୁ ଘଟାଇ

ବ୍ରହ୍ମାଣ୍ଡର ମୂଳାଧାର ।

ହେଉ ପବିତ୍ରତା, ଶାଶୁ ଶ୍ୱଶୁରଙ୍କୁ

ସେବି ରଖୁ କୁଳମାନ,

ସୁଯୋଗ୍ୟ ସନ୍ତାନ- ସମ୍ପଦେ ତାହାର

ବଢ଼ୁ ବଂଶ ସନମାନ ।’’

ରାଣୀ ମନୋରାଜ୍ୟ ଦୁଃଖ ସୁଖ ବେନି

ଆଲୋଡ଼ିଲେ, ଏହି କାଳେ,

ରାଜକାର୍ଯ୍ୟ ସାରି ରାଜା ଅଶ୍ୱପତି

ପ୍ରବେଶିଲେ ନତ ଭାଲେ ।

ବିଷଣ୍ଣ ବଦନ ନିରେଖି ତାଙ୍କର

ବିରସ ହୋଇଲେ ରାଣୀ,

ଦେଖି ଜେମା ମୁଖ ସହସା ରାଜାଙ୍କ

ଦୁଃଖ ଭଜିଗଲା ମ୍ଳାନି ।

ପିତୃ ସ୍ନେହଭରା ନୟନେ ଚାହିଁକି

ବିଚାରିଲେ ମନେମନେ,

‘‘ସ୍ୱର୍ଗ ପାରିଜାତ ଫୁଟିଲା କିପରି

ଏ ଦୀନ ସଦନ-ବନେ ?

ପୂଜାରେ ତୋଷେ କି ଦୟା ବହି ଦେବୀ

ସାବିତ୍ରୀ ବହିଲେ ତନୁ,

ଅଧମ ସନ୍ତାନ ଦୁଃଖ ନ ସହିଣ

ନାଶିବାକୁ କଷ୍ଟ ମନୁଁ ।

ଏ ମୋର ନନ୍ଦିନୀ ବୃଥା ଭାଳେଁ ମନେ

ଅହଙ୍କାର ମୋର ବୃଥା,

ଜନନୀ ଅମୃତ- ରୂପିଣୀ କମଳ

କି ଭାଗ୍ୟେ ମୋହର ସୁତା ।’’

‘‘ମା’’’ ବୋଲି ଆଦରେ ଡାକିଲେ କୋମଳେ

ସାବିତ୍ରୀ ନମିଲା ଯହୁଁ,

‘‘ମୋ ମୋ ଲକ୍ଷ୍ମୀ କିବା ସାକ୍ଷାତେ ଶଙ୍କରୀ !’’

ରୁଦ୍ଧ କଣ୍ଠ କହୁଁ କହୁଁ ।

ନତ ନେତ୍ରେ ରହେ ସାବିତ୍ରୀ ସୁନ୍ଦରୀ

ଚରଣ ସେବାରେ ରତା,

ଚାହିଁ ଚାହିଁ ରାଜା ବିଷାଦେ ହରଷେ

ଭାଳୁଥାନ୍ତି କେତେ କଥା ।

ଦିନ ଆଉ ନାହିଁ ଯିବ ଧନମଣି

ତା’ ନିଜ ସଂସାର କରି,

ଯା ମୁଖ ଦେଖି ମୋ ରହିଚି ଜୀବନ,

ଯିବି ତ ତା’ ବିନା ମରି ।

ଜନକର କୃତ୍ୟ ନ ପାଳିଲେ ମୁହିଁ

ନରକେ ବୁଡ଼ିବି ସିନା,

ଅମାନିଶା ସମ ଅନ୍ଧାରେ କାନ୍ଦିବି

କିନ୍ତୁ ମୋ ଚନ୍ଦ୍ରମା ବିନା ।’’

ଉଠି ତୁହୁଁ ବିଜେ ଶୟନସଦନେ

ହେଲେ ରାଜା ଅଶ୍ୱପତି,

ଗଲେ ପଛେ ପଛେ ପାଟ ମହାଦେଈ

ସ୍ୱଭାବେ ସୁଧୀରା ଅତି ।

ରତନ ପଲଙ୍କେ ସୁବାସିତ ଶେଯେ

ଆଲଟ ଧରିଣ କରେ

ବସି ମଧୁ ସ୍ୱରେ ମଧୁରଭାଷିଣୀ

ପଚାରିଲେ ନିରବରେ,

‘‘କଥାଏ କହିବି ଶୁଣ ମହାରାଜ !

ସାବିତ୍ରୀକୁ ଚାହିଁ ମୋର

ଫାଟିଯାଏ ହିଆ, କହ ହେ କିପରି

କାଟିବି ତା’ ମାୟାଡ଼ୋର ?

ପେଷିଅଛ ଆଜ୍ଞା ପାତ୍ର ଅନ୍ୱେଷଣେ

ନାନା ଦେଶେ ଚାରଗଣ,

କି ହେଲା ସେ କଥା ଶୁଣିବାକୁ ଅତି

ଉତ୍ସୁକ ମୋହରି ମନ ।’’

‘‘କି କହିବି ରାଣୀ ! ଦୁଃଖର କାହାଣୀ,’’

ଭାଷିଲେ ନୃପତିବର,

‘‘କନ୍ୟାଯୋଗ ବର ନ ମିଳେ ସଂସାରେ,

ହେଲିଣି ତ ହରବର ।

ବୟସ୍କା କୁମାରୀ ଘରେ ରଖି ପୁଣି

ହେଉଥାଇଁ ପାପଭାଗୀ,

ରୂପ ଗୁଣ ଶୁଣି ଭୀତ ରାଜସୁତେ,

କି କରିବା କନ୍ୟା ଲାଗି ?

ଅଙ୍ଗ, ବଙ୍ଗ, ମତ୍ସ୍ୟ, ମିଥିଳା ମଗଧ,

ଅବନ୍ତୀ, କର୍ଣ୍ଣାଟ, କାଞ୍ଚି,

ବିଦର୍ଭ, ପାଞ୍ଚାଳ, କଳିଙ୍ଗ ଅଞ୍ଚଳ

ସବୁ ସାରିଲିଣି ବାଛି ।

ନିଜ ଅଯୋଗ୍ୟତା ହେଜି ରାଜସୁତେ

ନୁହନ୍ତି ସାହସୀ କେହି,

ତେଜୋମୟୀ ଦେବୀ- ବରଦତ୍ତା କନ୍ୟା

ଦାର ସେ କରିବେ ନେଇ ?

ସ୍ୱୟମ୍ୱର ସଭା ବସାଇବି ଭାବି

କରିଥିଲି ଆୟୋଜନ,

ନିମନ୍ତ୍ରଣେ କେହି ନୋହିଲେ ସାହସୀ

କରିବାକୁ ଆଗମନ ।

ସୌର ତେଜେ ଯଥା କ୍ଷଣେ ଭଜେ ମ୍ଳାନି

ଜ୍ୟୋତିର୍ମୟ ଭାରଗବ,

କନ୍ୟା ରୂପ ଗୁଣ ତେଜେ ସେହିପରି

ନୃପସୁତେ ହୀନପ୍ରଭ ।

ଭୀତ ଲଜ୍ଜାନତ ବଦନେ ସରବେ

ଭାଳନ୍ତି ନୁହନ୍ତି ଯୋଗ୍ୟ,

ପୁଷ୍ପ ସୁକୁମାରୀ ଧରା-ସାର ପୁଷ୍ପ

ହେବ ଅବା ଦେବଭୋଗ୍ୟ ।

ପେଷିବି କନ୍ୟାକୁ ପାତ୍ର ଅନ୍ୱେଷଣେ

ନାହିଁ ତ ଉପାୟ ଆନ,

ଅନୂଢ଼ା ଯୁବତୀ କନ୍ୟା ରଖି ଗୃହେ

ଯିବ କୁଳ ସନମାନ ।’’

‘‘ଏ କି ଅଦ୍‍ଭୁତ, କ୍ଷୁଦ୍ର ଶିଶୁ ମୋର

ନ ଜାଣେ ସଂସାର କିଛି,

ପାତ୍ର ଅନ୍ୱେଷଣେ ପଦାରେ ବୁଲିବ

ଲୋକ ତ କହିବେ ଛି ଛି !

ଅତି ସେ କୋମଳା ଲଜ୍ଜାବତୀ ଲତା

ସଙ୍କୁଚିତା ଭୀତମତି,

ନାନା ଦିଗଦେଶେ କହ ମୋତେ ନାଥ,

କିପରି କରିବ ଗତି ?

ଯେ ଯା’ର ସେ ତା’ର ଖଞ୍ଜି ପ୍ରଜାପତି

ଆଗରୁ ଥୁଅନ୍ତି ପରା,ଈ

କନ୍ୟା ମୋର ଶିଶୁ, ତା’ ପାଇଁ କିମ୍ପାଇ

ଆଜହୁଁ ଏଡ଼ିକି ତ୍ୱରା !’’

କହନ୍ତି ରାଜା, ‘‘ସେ ସ୍ନେହ ତବ ଶିଶୁ,

ନୁହେଁ ଶିଶୁ ଲୋକନେତ୍ରେ,

ଅଧର୍ମ ଆଚରି କିପରି ବର୍ତ୍ତିବା

କହ ଏ ପବିତ୍ର କ୍ଷେତ୍ରେ ?

ଏ ପରା ଭାରତ ଧରମେ ବିଖ୍ୟାତ,

ପୁଣ୍ୟ ଆର୍ଯ୍ୟଋଷି-ଭୂମି,

ଧରମ-ତୁଷାର- କିରୀଟୀ ହିମାଦ୍ରି

ଉଠିଛି ଅମ୍ୱର ଚୁମ୍ୱି ।

ପବିତ୍ରସଲିଳା ଜାହ୍ନବୀ, ଯମୁନା,

ସରସ୍ୱତୀ, ଦୃଷଦ୍ୱତୀ

ଯେ ପବିତ୍ର କ୍ଷେତ୍ରେ ପ୍ରବାହି ଅମୃତ

ସାଗରେ କରନ୍ତି ଗତି,

ପୁଣ୍ୟଶ୍ରୀ-ସମୃଦ୍ଧି- ଶାଳିନୀ ଏ ଭୂମି,

ଏଥି ଜନ୍ମ ଲଭି ରାଣୀ,

ସତୀ, ସନ୍ଥ ବେନି ପାଳନେ କ୍ଷତ୍ରିୟ-

ଧରମ ବିହିତ ଜାଣି ।

ରାଜା ଅଶ୍ୱପତି ଲୋକେ ସୁବିଦିତ

ନ୍ୟାୟ ଧର୍ମ ଆଚରଣେ,

କନ୍ୟାସ୍ନେହ-ଅନ୍ଧ ଅଧର୍ମ ବିହିଲେ

କହିବେ ତ ବିଶ୍ୱଜନେ ।

‘ସନାତନ ପ୍ରଥା ଲଙ୍ଘିଲେ ନୃପତି’

କହିବେ ମୋ’ ପ୍ରଜାକୂଳ,

କଳଙ୍କଭାଗିନୀ ହେବ ମୋ’ ସୁଶୀଳା

ସୁତା, ଯିବ ନାଶ କୁଳ ।

ସତ୍ୟ ଲାଗି ରାଣୀ, ଅସାଧ୍ୟ ସାଧନ

କରନ୍ତି ଧାର୍ମିକ ଜନ,

ମାୟା, ସ୍ନେହ, ମୋହ ଅସାରଟି ଦେବୀ,

ସେ ସବୁ ରଜୋବନ୍ଧନ ।

କେ କା’ର ସନ୍ତତି, କେ କାହାର ପିତା,

କେ ମାତା, କେ ସୁତ କହ,

ମାୟାନେତ୍ରେ ସବୁ ଦିଶେ ଛନ୍ଦାଛନ୍ଦି,

ମାୟା ଅନ୍ତେ ଶୂନ୍ୟମୟ ।

ଶୃଙ୍ଖଳେ ଶୃଙ୍ଖଳ ଛନ୍ଦିଥିଲା ଭଜି

ମାୟାଡ଼ୋରେ ଛନ୍ଦାଛନ୍ଦି,

ପିତା, ମାତା, ଭ୍ରାତା, ଭଗିନୀ, ସନ୍ତାନ,

ପତି, ପତ୍ନୀ ବନ୍ଧାବନ୍ଧି ।

ମାୟା ନ କାଟିଲେ ନାହିଁ ତ ମୁକତି

ଶାସ୍ତ୍ର ପାଠେ ଅଛ ଜାଣି,

ମାୟାରେ ଅଧୀରା ହୁଅ ଏବେ କିପାଁ

ମଦ୍ରଦେଶ ମହାରାଣୀ !

ଆମ୍ଭେ କି ଛାର ଗୋ, ଲୋକହିତ ଅର୍ଥେ

ଆମ୍ଭର ଜନମ ସିନା,

ପ୍ରଜା କି ପାଳିବେ ଧରମର ବିଧି

ଆମ୍ଭ ଆଦରଶ ବିନା ?

ସିଂହାସନେ ନୃପ ନୁହଇ ସ୍ୱାଧୀନ,

ପ୍ରଜା ସେବି ପ୍ରଜା-ଦାସ,

ଆମ୍ଭେ ଅନାଚାରୀ ହୋଇଲେ କମଳା

ତେଜିବେ ଏ ରାଜ୍ୟବାସ ।

ନିର୍ମଳ ଉଜ୍ଜ୍ୱଳ ନିର୍ବିକାର ଶୁଦ୍ଧ

ନିରାକାର ବ୍ରହ୍ମପଦ

ହେଜି ମିଥ୍ୟାମାୟା ବରଜ ଗୋ ରାଣୀ,

ସେ ସିନା ପରମ ପଦ ।

ଯେତେ ‘ମୋର’ ‘ମୋର’ କହୁଥିବ ଦେବୀ,

ତେତିକି ଛନ୍ଦିବ ମାୟା,

ମୋର ନୁହେଁ, ବିଭୁ- ପ୍ରସାଦେ ପ୍ରଦତ୍ତ

ସନ୍ତାନ ସନ୍ତତି ଜାୟା ।

ଆତ୍ମଶୁଦ୍ଧି ହେତୁ ମୁକ୍ତିପଥେ ଦେବୀ,

ମିଳିଛୁଁ ପଥିକ କେତେ,

ଦୁଇଦିନ ପରେ ହେବୁଁ ଭିନ୍ନ ଭିନ୍ନ,

ତା’ ପାଇଁ ଚିନ୍ତିତ ଏତେ !

କର୍ତ୍ତବ୍ୟ ସାଧନେ ମୋକ୍ଷଲାଭ ଲାଗି

ପ୍ରତିଆଶୀ ପରସ୍ପରେ,

ସୂତ୍ରେ ମଣିମାଳା ଭଳି ଛନ୍ଦା ସିନା,

କେ କା’ର ଛିଣ୍ଡିଲା ପରେ ?

ରାଜା ଅଶ୍ୱପତି- ଗୃହିଣୀ ତୁମ୍ଭେ ଗୋ,

ରାଜ୍ୟ ପାଟେ ପାଟ-ରାଣୀ,

ଦୁର୍ବଳତା ତେଜି କର ନିଜ କୃତ୍ୟ

ଜଗତ ଅସାର ଜାଣି ।’’

ରାଜ-ବାକ୍ୟେ ରାଣୀ ଦୀର୍ଘଶ୍ୱାସେ ଏକ

ସମ୍ୱରିଣ ମନୋବ୍ୟଥା

ନୀରବ ନିଶ୍ଚଳ ରହି କେତେକ୍ଷଣ

ପୁଣି ଆରମ୍ଭିଲେ କଥା-

‘‘ପଦେକ କହିବି ଶୁଣ ନରନାଥ,

କନ୍ୟା ବୁଲି ଦେଶ ଦେଶ

କିପରି ଖୋଜିବ ନିଜ ଯୋଗ୍ୟ ପତି,

ଚିନ୍ତା ଲାଗେ ସବିଶେଷ ।’’

‘‘ଅପତ୍ୟ ବାତ୍ସଲ୍ୟେ କ୍ଷୁଦ୍ର ମଣ ତାକୁ’’

ବିହିଲେ ଉତ୍ତର ନୃପ,

‘‘ଜ୍ଞାନଭଣ୍ଡାର ସେ, ଅଳପ ବୟସେ

ପଢ଼ିଅଛି ଶାସ୍ତ୍ରସ୍ତୂପ ।

ସୁବିବେକବତୀ, ସୁଗମ୍ଭୀରା ଧୀରା

ପ୍ରବୀଣାଙ୍କ ବୁଦ୍ଧିଜିଣା,

ସରସ୍ୱତୀ ଯଦି ନୁହେଁ ମୋ ସାବିତ୍ରୀ

ନିଶ୍ଚେ ବାଣୀ-ପୂତ-ବୀଣା ।

ବିଦୁଷୀ, ସୁରଭି, ଜନପ୍ରଶଂସିତା,

ଅନିନ୍ଦିତା ପୁଣ୍ୟମତି,

ଏ କାର୍ଯ୍ୟେ ନିଯୋଗ ଲାଗି ପାତ୍ରମିତ୍ରେ

ଦେଇଛନ୍ତି ସନମତି ।

ବୃଦ୍ଧ ମନ୍ତ୍ରୀ ଆମ୍ଭ ଯିବେ ସଙ୍ଗତରେ

ପ୍ରାଚୀନ ସଦସ୍ୟେ ଘେନି,

ବାସନ୍ତୀ, ମାଧବୀ ଯିବେ ଗୋ ଗହଣେ,

ଯିବେ ରମା, ଉମା ବେନି ।

ଦେଶାଟନେ କଷ୍ଟ ନୋହିବା କାରଣ

ବିହିଅଛୁଁ ଆୟୋଜନ,

ଦେଶଭ୍ରମଣେ ସେ ଜ୍ଞାନ ତ ଲଭିବ,

ସଙ୍ଗେ ଘେନି ବିଦ୍ୱଜ୍ଜନ ।’’

‘‘ଯାହା ଇଚ୍ଛା ତମ ସମ୍ପାଦ ହେ ନାଥ,

ତହିଁ ମୋର ମହାନନ୍ଦ,

ସୁଜ୍ଞାନ-ସମ୍ପଦେ କେ ବା ତୁମ୍ଭ ପରି,

ମୋ’ ଧର୍ମ ସେବା ଶ୍ରୀ ପଦ ।’’

‘‘ସାଧୁ ସାଧୁ ଦେବୀ ! ଶୁଭାନୁମୋଦନ

ପ୍ରତୀକ୍ଷାରେ ଥିଲି ଚାହିଁ,

ତୁମ୍ଭ ସାହଚର୍ଯ୍ୟ ବିନା କେଉଁ କାର୍ଯ୍ୟ

କରିଛି କି କେବେ କାହିଁ ?

ତୁମ୍ଭ ଅଜଣାରେ କରମ କରିଣ

ହେବି ଶେଷେ ଶାସ୍ତ୍ରଦ୍ରୋହୀ,

କୁପଥେ କିପରି ନେବି ବା ତୁମ୍ଭଙ୍କୁ

ତୁମ୍ଭ ଆଦରଣ ହୋଇ ?’’

☆☆☆

 

Unknown

ଦ୍ୱିତୀୟ ସର୍ଗ

 

ଦିନେ ସନ୍ଧ୍ୟାଗମେ ସାରି ସ୍ନାନବିଧି

ଜେମା ଅଗ୍ନି-ଆୟତନେ

ପୂଜା ସାରି ଶୁଚି- ପ୍ରସାଦ ପ୍ରସୂନ

ଘେନିଲେ ଭକତିମନେ ।

ଦେବ ବିତାନରୁ ବାହାରି ବରାଙ୍ଗୀ

କାନ୍ତି ଦିଶେ ଊର୍ଜସ୍ୱଳ,

ମର୍ତ୍ତ୍ୟର କୁସୁମ ନୁହେଁ ଅବା ବାଳା,

ସ୍ୱରଗର ଶତଦଳ ।

ଶୁଚି ଶୁଭ୍ରବାସ ଆବରି ବରାଙ୍ଗେ

ଜିତଘନ ମୁକ୍ତକେଶୀ

ଦିଶେ ସ୍ୱୟଂ ଦେବୀ ବରଦା ଉଭା କି,

ଅବା ସ୍ୱାହା ଅଗ୍ନିବେଶୀ ।

ଉଜ୍ଜ୍ୱଳ ଲୋଚନେ କଜ୍ଜ୍ୱଳରେଖା ସେ

ଜ୍ୟୋତିଃ ପାଶେ ତମ ସରି,

ନୁହଇ ଲୋଚନ, ଉଭା କି ମରତେ

‘କରୁଣା’ ମୂରତି ଧରି !

ଶଶାଙ୍କରେ ଅଙ୍କ ଅଙ୍କା ସରି ଶୋଭେ

ମୃଗମଦ ବିନ୍ଦୁଭାରେ,

ଚନ୍ଦନଚର୍ଚ୍ଚିତ ବରକଳେବରା

ଦୀପ୍ତ ମଣିଜ୍ୟୋତିକାଳେ ।

ସରଳ ସୁଢ଼ଳ ଶାଳ ଲତା ଅଙ୍ଗୁ

ଜ୍ୟୋତି କି ବାହାରେ ଫୁଟି,

ସନ୍ଧ୍ୟା ମୃଦୁଛାୟା ଭେଦି ଅଗ୍ରସରେ

ଅନ୍ଧାର କି ଯାଏ ତୁଟି !

ପ୍ରବାଳମାଳିକା- ଅଧର ବିମ୍ୱ କି

ତୂଳିକାରେ ଲେଖା ଭଳି,

ଢଳିଥିଲା ସମ କଳା ଅଳିଶ୍ରେଣୀ

ମୁଖପଦ୍ମେ ଭୁରୁ ଝଳି !

ଶ୍ରୀକରକମଳେ ଲଳିତ ସୁମନ,

ଶୋଭା ସେ ନୁହଇ କଳି,

ମରାଳଗାମିନୀ ମଞ୍ଜୁ ମୋତି ମତି

ଚାରେ ସୁବଙ୍କିମେ ଢଳି ।

ପିତୃ ପଦତନେ ଅରପିଣ ଫୁଲ

ନମିଲା ଭକତିଭରେ,

ସ୍ନେହାର୍ଦ୍ର ନୟନେ ରାଜା ଅଶ୍ୱପତି

ଅନାଇଲେ ମୁଖେ ଥରେ ।

ଝଟକ ହାଟକ ଦେବୀ ପ୍ରତିମା କି

ସୁରଭି ମୂରତି ମତି,

ନିଦାଘ ତପନ ସମ ଦିବ୍ୟତେଜଃ

ପ୍ରଭାସ୍ନାନେ ଜ୍ୟୋତିଷ୍ମତୀ ।

କରୁଣଲୋଚନା ଦୟାଶୀଳଚିତ୍ତା

ସୁକେଶୀ ଜଳଦପନ୍ତି

ହିମବିନ୍ଦୁସ୍ନାତ ତରୁମୂଳେ ଝରା

ଶେଫାଳୀ ସୌରଭବତୀ

ଅବା ସେ ହେମନ୍ତ- ନିଶାନ୍ତେ ଫୁଟନ୍ତା

ନବୀନ ନଳିନ-କଢ଼ି,

ବାଳାର୍କ-କନକ- କିରଣ ରେଖା କି

ବଦନେ ରହିଛି ପଡ଼ି !

ଶିଶିର-ପ୍ରଭାତ- ଶତବର୍ଗ ଶୋଭା

କଳଧୌତ କାନ୍ତିହର,

ଶୋଭାସଦନାର ଶରୀର ସୁକାନ୍ତି

ତହୁଁ ବଳି ମନୋହର ।

କ୍ଷୋଭ ରାଜାମନେ ଭଜିଲା ସହସା-

ଏପରା ତନୟା ସମ,

ବର ନ ମିଳନ୍ତେ ବର ଅନ୍ୱେଷଣେ

କରିଯିବ ଦେଶାଟନ ।

ନୁହେଁ ତ ଦୁର୍ବଳ ହୃଦୟ ତାଙ୍କର

ଯୋଗବଳେ ବଳବାନ,

ସହସା ସହସ୍ର ଶୋକ ମାରି ମନେ

ଅର୍ପିଲେ କର୍ତ୍ତବ୍ୟେ ପ୍ରାଣ ।

ନିବଦ୍ଧଅଞ୍ଜଳି ବାଳାକୁ ସମ୍ୱୋଧି

କହିଲେ କୋମଳ ଗିର,

‘‘ଧର୍ମବିଧି ସବୁ ଜାଣୁ ତୁହି ବତ୍ସେ,

ପ୍ରଥା ଯେ ଆମ୍ଭର ଚିର ।

ଜାଣୁଁ ଆମ୍ଭେ ତୋର ବିଦ୍ୟା ବୁଦ୍ଧି ଗୁଣ,

ପ୍ରଶଂସା କି ପ୍ରୟୋଜନ ?

ମହତ କରମ ଏକ ଆଜି ତୋତେ

କରୁଅଛୁଁ ଅରପଣ ।

ଜାଣୁ ବତ୍ସେ ତୁହି, ନିନ୍ଦନୀୟ ପିତା

ଯା ଗୃହେ କୁମାରୀ ସୁତା,

ହେଳାଭାବେ ତାକୁ ନ କରେ ସମୟେ

ଗୁଣବାନ ପାତ୍ରଯୁତା

ନିନ୍ଦନୀୟ ସେହି ସନ୍ତାନ ଯେ ତା’ର

କନକ ମରଣ ପରେ

ବିମୁଖ ଜନନୀ- ପାଳନେ, ତ୍ରିକାଳେ

ଗତି ତା’ର ନରକରେ ।

ଦାର ପରିଗ୍ରହେ ନରପତି ଯଦି

ନ ବଳାନ୍ତି ନିଜ ମନ,

ନିନ୍ଦନୀୟ ସେହି, ବିୟୋଗାନ୍ତେ ତନୁ

ଶୂନ୍ୟ ଭଜେ ସିଂହାସନ ।

ପୂଜ୍ୟପାଦ ଆର୍ଯ୍ୟ- ଋଷିବୃନ୍ଦଗିର

ହେଳା କି କରିବୁଁ ମନେ,

ନ ପାଇଲୁଁ ଯେଣୁ ଯୋଗ୍ୟ ବର ତୋର

ଶାନ୍ତି ନ ଲଭୁଛୁଁ କ୍ଷଣେ ।

ଦିବାନିଶି ଆମ୍ଭ ଚିନ୍ତା ତୋହଲାଗି,

ମନରେ ବିଚାରୁଁ ଏବେ,

ନିଜ ପତି ନିଜେ ବରି ତ ପାରିବ,

କନ୍ୟା ଗୁଣବତୀ ଯେବେ ।

ସ୍ୱୟଂବର ପ୍ରଥା ଧର୍ମ କ୍ଷତ୍ରକୁଳେ,

ଶ୍ରେଷ୍ଠ ରାଜସୁତାଗଣ,

କରିଥିଲେ ପତି ନିଜ ବୁଦ୍ଧି ଜ୍ଞାନେ,

ରୀତି ଏ ତ ପ୍ରଚଳନ,

ମା’ ତୁହି ଧାର୍ମିକା ସୁଶୀଳା ଜାଣି ଲୋ,

ଆଦେଶଛୁଁ ତୋତେ ଆଜି,

ବର ନିଜ ପତି ସ୍ୱଚ୍ଛନ୍ଦେ ସୁମନେ

ଭ୍ରମି ଜନପଦରାଜି ।

ବରିବୁ ତୁ ଯାକୁ ସାନନ୍ଦେ ଆମ୍ଭେ ଗୋ

ବରିବୁଁ ଜାମାତୃପଦେ,

କରିଛୁଁ ସିଦ୍ଧାନ୍ତ ଚିନ୍ତି ବହୁଦିନ

ଯୋଗ୍ୟା ତୁ ସ୍ୱନିରବନ୍ଧେ ।

ସଖୀ ଚେଟୀ ମେଳେ ହୁଅ ଗୋ ବାହାର

ଶୁଭଦିନେ ଆଜ୍ଞାମତେ

ଗୁରୁଦେବଙ୍କର, ବୃଦ୍ଧ ମନ୍ତ୍ରୀ ପାତ୍ର

ପ୍ରବୀଣା ଯିବେ ସଙ୍ଗତେ ।

ଭ୍ରମିବୁ ହରଷେ ନାନା ଦିଗଦେଶ,

ତୀର୍ଥ ଦରଶନ ଶେଷେ,

ଅଭୀଷ୍ଟ ସିଦ୍ଧିରେ ତୁରନ୍ତେ ବାହୁଡ଼ି

ଆସି ପହଞ୍ଚିବୁ ଦେଶେ

କରିବା କାରଣେ ଇଚ୍ଛାମତ କର୍ମ

ଦେଲୁଁ ଆମ୍ଭେ ଅନୁମତି,

ଧର୍ମନେତ୍ରେ ହୀନ ତୋ କାର୍ଯ୍ୟେ ମାଆ ଲୋ,

ନୋହୁ ରାଜା ଅଶ୍ୱପତି ।

ଏପରି ଜନଙ୍କୁ କରିବୁ ଲୋ ଜେମା,

ଦେବେ ନ କରିବେ ରୋଷ,

ନୋହିବୁଁ ପତିତ ଅଧରମ ହେତୁ,

ନରେ ନ ଧରିବେ ଦୋଷ ।’’

ନତନେତ୍ରେ ଜେମା ଯୋଡ଼ି କରଯୁଗ

କହିଲେ ‘‘ତଥାସ୍ତୁ’’ ଧୀରେ,

ଆଶୀର୍ବାଦ ଶତ କରୁଁ କରୁଁ ରାଜା

ହସ୍ତ ଅରପିଲେ ଶିରେ ।

ଲଭିଛନ୍ତି ଜେମା ରାଜ-ଅନୁମତି

ଯିବେ ବର ଅନ୍ୱେଷଣେ,

ହେଲା ପ୍ରଚାରିତ କ୍ଷଣେ ଅନ୍ତଃପୁରେ

ଦାବାନଳ ଯଥା ବନେ ।

କିଛି ନ କହିଲେ ସ୍ନେହଶୀଳା ମାତା

ଗଣ୍ଡ ପାଣ୍ଡୁ ଗଲା ଦିଶି,

ପୁଣି ପରକ୍ଷଣେ ଜେମା ବିଭା କଥା,

ସୁଖ ଗଲା ଦୁଃଖେ ମିଶି ।

ମନେମନେ କେତେ ଡାକିଲେ ଦେବତା,

ସାବିତ୍ରୀ ଲଭୁ ମୋ ବର,

ନ ଥାନ୍ତୁ ସେପରି ତ୍ରିଭୁବନେ କେହି

ଗୁଣବାନ ଶ୍ରେଷ୍ଠ ନର ।

ହେଉ ସେ ନିଜର ତୁଳା ନିଜେ, ଆନ

ନ ଥାଉ ତା’ ପଟାନ୍ତର,

ତଥାପି ଜେମାର ଭବିଷ୍ୟ ବିଚ୍ଛେଦ

ଭାବି ଅନ୍ତର କାତର ।

ବହୁ ତପସ୍ୟାର ଫଳ ସେ ନନ୍ଦିନୀ

ନେତ୍ରମନବିନୋଦିନୀ,

ଦେବୀଦତ୍ତା, ଦେବୀ କୃପା କରି ଏବେ

କରନ୍ତୁ ଗୋ ସୌଭାଗିନୀ ।

ଯା ନାମ ସ୍ମରଣେ ଆଣିବା କାରଣ

ସାବିତ୍ରୀ ବିହିଲେ ନାମ

ସେ ଦେବୀ ଏକ୍ଷଣେ ବରଦାରୂପିଣୀ

ପୂରାନ୍ତୁ ଗୋ ମନସ୍କାମ ।

ପ୍ରଭାତିଲା, ରାତି, ବାହାରିଲେ ଜେମା

ସଖୀବୃନ୍ଦ ସଙ୍ଗେ ମିଳି,

କାନ୍ଦିଲେ ନୀରବେ ରାଣୀ କଉଶଲ୍ୟା

ହୃଦୟ-କବାଟ କିଳି ।

ଜେମା ପଥେ ବିଘ୍ନ ହେବ ଭାବି ଭୟେ

ନେତ୍ରୁ ନ ବୁହାଇ ବାରି

ଉପାଧାନେ ମୁଖ ହେମ ପଲଙ୍କରେ

ଗୁଞ୍ଜିଲେ ମନକୁ ମାରି ।

ସେ ତ ଥିଲେ ଦିନେ ମାତାଙ୍କ ନନ୍ଦିନୀ

ପିତୃଚିତ୍ତ ପ୍ରହ୍ଲାଦିନୀ,

ବିବାହାନ୍ତେ ପୁଣି ପତିନିକେତନେ

ହେଲେ ସ୍ୱାମୀସୁହାଗିନୀ

ଜେମା ମଧ୍ୟ ତାହା ହୋଇବା ବିହିତ,

କରିବେ କିମ୍ପା ସେ ଦୁଃଖ,

ନ ବୁଝି ତଥାପି ମନଟା କିଜାଣି

କିମ୍ପାଇଁ ବିଷାଦେ ମୂକ ?

ଯାଇନାହିଁ ଜେମା ଶ୍ୱଶୁର ଘରକୁ,

ଯାଇଛି ତ ଦେଶ ଭ୍ରମି,

କି କରିବ କହ ସମ୍ପ୍ରଦାନ ଅନ୍ତେ,

ତା’ର ଦୁଃଖିନୀ ଜନନୀ ?

ଆନ୍ଦୋଳି ଗୋପନେ କେତେ କଥା ମନେ

ମଉନେ ରହିଲେ ରାଣୀ,

ଶୁଦ୍ଧାନ୍ତେ ଦିନାନ୍ତେ ରାଜା ପ୍ରବେଶନ୍ତେ

ମୁଖ ଦେଖି ନେଲେ ଜାଣି ।

‘‘କହ କି କାରଣେ ଶୋକ କର ରାଣୀ,

ଏତ ଅତି ଅନୁଚିତ’’

ରାଜାଙ୍କ ବଚନେ ସଲଜ୍ଜେ କହିଲେ,

‘‘ଶୋକ ମୁଁ କରୁ ନାହିଁ ତ ।

ନିତି ଥାଏ ପାଖେ, ଲାଗେ ଏକା ଏକା,

ତେଣୁ ମନେ ଏହି ଦୁଃଖ,

ଝିଅ ଘରେ କିଏ ରଖିଛି କି ନାଥ,

ହେବ କିମ୍ପା ଅନିଚ୍ଛୁକ ?

ସୃଜିଛି ବିଧାତା ପରଘର ପାଇଁ,

ମୋ ନିଜ କଥାକୁ ଭାଳି,

ମନ କଷ୍ଟ ମନେ ରହିଛି ମାରିଣ

ବୃଥା ନେତ୍ରବାରି ଢାଳି ।’’

‘‘ସତ୍ୟ ସତ୍ୟ ଦେବୀ ! ତୁମ୍ଭ ଯୋଗ୍ୟ କଥା

ଶ୍ରବଣେ ତୋଷ ମୁଁ ଅତି,

ବହୁଭାଗ୍ୟ ମୋର ପତ୍ନୀରୂପେ ପ୍ରାପ୍ତ

ତୁମ୍ଭ ତୁଲ୍ୟ ଗୁଣବତୀ ।

ତୁମ୍ଭ ଯୋଗୁଁ ଦେବୀ, କଠୋର ସାଧନା

ସଂଯମେ ଲଭିଛି ସିଦ୍ଧି,

ଧର୍ମପଥେ ଭାର୍ଯ୍ୟା ସହାୟ, ସେ ସିନା

ଦୈବ ଅନୁକୂଳ ବିଧି ।’’

ଏଣେ ଜେମାମଣି ସଖୀଙ୍କ ଗହଣେ

ଶିବିକା ଆରୋହି ଭ୍ରମେ,

ଘନ ଘନ ମାତୃ- ମ୍ଳାନ ମୁଖଚ୍ଛବି

ଦିଶିଯାଉଥାଏ ମନେ ।

କରୁଣ ନୟନ- ସ୍ନିଗ୍‌ଧ ଚାହାଣିରେ

ଶୁଭାଶିଷ ଛଳେ ଚାହିଁ

କୋଳୁଁ କି ଜେମାକୁ ବିଦାୟ ଦେବାକୁ

ମନ କରୁଥାଏ ‘ନାହିଁ’ !

ତଥାପି ଜେମାର ମଙ୍ଗଳ ଭାବି ସେ

ପାସୋରିଣ ଥିଲେ ସ୍ନେହ,

ରହି ରହି ଜେମା- ମନେପଡ଼ି ସବୁ

ଜଡ଼ ଭଜୁଥିଲା ଦେହ ।

ସୁଗମ୍ଭୀରା ଯେଣୁ ଅଳପହାସିନୀ

ସୁକାର୍ଯ୍ୟେ ନିହିଛି ମନ,

ଭ୍ରମେ ଦିଶେ ଦିଶେ ନାନା ଜନପଦେ

ତୀର୍ଥରାଜି ଅଗଣନ ।

ଦେଶଭ୍ରମଣେ ତା’ ତୃପ୍ତ ଅତି ମତି

ନିରେଖି ପ୍ରକୃତ ଶୋଭା,

କିନ୍ତୁ କାହିଁ କେଉଁ ନର ତ ନୋହିଲା

ଜେମାମଣି-ମନୋଲୋଭା ।

ବାହାରିଣ ଘରୁ ଭ୍ରମିଲା କେତେ ସେ

ବନ ଗିରି ଜନପଦ,

ହିମ-ଊର୍ଜସ୍ୱଳ କାଶ୍ମୀର ଅଞ୍ଚଳ,

ଭବେ କି ସେ ବିଷ୍ଣୁପଦ !

ମରତେ ଅମରା- ବତୀ ଶୋଭାବତୀ

ନିବାସ ଲକ୍ଷ୍ମୀର ଯହିଁ,

ଚିର ନିକେତନ ରଚନା ମାନସେ

ସୁରଭି ଶିଶିର ତହିଁ ।

ଦ୍ୱନ୍ଦ୍ୱ ପରସ୍ପରେ ବିରଚି ବିଶେଷେ

ଶିରୀ ବଢ଼ାଇଲେ ବେନି,

ଏକ ଫୁଲ ଫଳେ ବିରାଜିଲା, ଆନ

ଶୋଭିଲା ତୁହିନ ଘେନି ।

ତହିଁ ନରପତି ବିଶାଳ ସମ୍ପତ୍ତି

ନ ରସିଲା ଜେମା ମନ,

ଦିବ୍ୟ ମୁକ୍ତାଲୋଭୀ ଭୁଲିବ କି କାହିଁ

ଦର୍ଶନେ ଶିଶିର-କ’ଣ ?

ହୃଦଶୋଭୀ-ସିନ୍ଧୁ- ନଦ ସୁପଦକ

ପଞ୍ଚହାର ପଞ୍ଚନଦ,

ରତ୍ନାକର ଯାର ଶ୍ରୀପଦ କିଙ୍କର

ରମ୍ୟ ଲବଣାମ୍ଭୁ ହ୍ରଦ;

ଯହିଁ ବେଦମାତା ତୁଷ୍ଟ ବେଦଗୀତେ

ବିରାଜି ବରଦା ସମା,

ତହିଁ ନରପତି ସୁତେ ନ ରସିଲା

ମଦ୍ରଦେଶ ମନୋରମା

ହୀରା କାଚ ବେନି ମୂଲ୍ୟ ଯେ ବୁଝଇ

କାସେ କି ଭୁଲିବ କେବେ,

ରୂପ ଚକ ଚକ, ଗୁଣର ପରଖ

ସଲିଳେ ବୁଡ଼ଇ ଯେବେ ।

ସରଯୂ-ସୁହାରା ଅଯୋଧ୍ୟା ନଗରୀ

ନିଖିଳେ କି ନାକ ଶିରୀ,

ନବୀନ ନୃପତି ନରୋତ୍ତମ ରଣ-

କୁଶଳୀ ଦୁଷ୍ଟ ବଇରୀ ।

ପ୍ରତାପେ କମ୍ପଇ ବାସୁକିର ଶିରେ

ଅବନୀ ସାଗରାମ୍ବରା,

ମଦ୍ରମହୀମଣି ଜେମା ମନ କିନ୍ତୁ

ନିମିଷେ ନ ଦେଲା ଧରା ।

ଜିଣି ନୀଳିମାରେ ଜୀମୂତ ପଟଳ

ଅଳକା ଅବଳା ଶିରେ,

ଚିତ୍ର ଶତପତ୍ର- ପ୍ରଫୁଲ୍ଲ ତରଙ୍ଗ

ଯମୁନା ବହଇ ଧୀରେ ।

ଦେବ ଉପବନ ସମ ବୃନ୍ଦାବନ

ମଥୁରା ତହୁଁକି ତୋରା ?

ନମିଳିଲା କିନ୍ତୁ ସେହି ସେ ଖଣ୍ଡକେ

ଜେମାମଣି ମନଚୋରା ।

ଜିଣି ଅବହେଳେ ଜାହ୍ନବୀ-ଜୀବନ-

ସିଞ୍ଚିତ ସୁଚାରୁ ମହୀ-

ନିବାସୀ ନରେଶ ନନ୍ଦନନିକର

ବୃଥା ହତାଶ୍ୱାସେ ଦହି

ଫେରିଲା ସୁଚାରୁ- ହାସିନୀ କଳିଙ୍ଗେ

ତ୍ରଇରଙ୍ଗେ, ଅଙ୍ଗେ, ବଙ୍ଗେ,

ମିଶିଛି ଆଦରେ ଯହିଁ ଭାଗୀରଥୀ

ରମ୍ୱଣାମ୍ୱୁ ପତି ଅଙ୍ଗେ ।

ତହୁଁ ହରିଣାକ୍ଷୀ ଦକ୍ଷିଣେ ଭ୍ରମିଣ

କଙ୍କଣେ, ମାଳବେ ବୁଲେ,

ଗୋଦାବରୀ, ରେବା, କୃଷ୍ଣା ତଟଦେଶେ

ବିନ୍ଧ୍ୟାଟବୀ ପାଦମୂଳେ ।

ଗୁର୍ଜରେ, ସୁରାଷ୍ଟ୍ରେ ସାରି ଦେଶାଟନ

ଫେରିଲା ଦକ୍ଷିଣାପଥେ,

କିନ୍ତୁ ଯୋଗ୍ୟ ପାତ୍ର ଏକ ନ ମିଳନ୍ତେ

ବିଫଳିତ ମନୋରଥେ ।

ବିଫଳ ଉଦ୍ୟମେ ବାହୁଡ଼ିବେ ଘରେ,

ନ ବରିବେ ହୀନ ବର,

ଜେମାର ଅଭୀଷ୍ଟ ସିଦ୍ଧି ନୋହିଲାକୁ

ପାତ୍ରମିତ୍ରେ ହରବର ।

ଚିନ୍ତିଲେ ଅନେକ ସଚିବ ପ୍ରାଚୀନ

ବାଳା ଅତି ଅଦଭୁତ,

ଦେବୀକନ୍ୟା ପରା, ଯୋଗ୍ୟ ସେଥିପାଇଁ

ନୋହିଲେ କି ରାଜସୁତ !

ଦେବଦା ମହତ ନିଶ୍ଚେ ପତି କେହି,

ଆସିବେ ସମୟେ ସେ ତ,

ଜେମାସମ ବର ନ ମିଳିବା ତେଣୁ

ବିଧାତାର ଅଭିପ୍ରେତ ।

ଦିନେ ପ୍ରାତଃ କାଳେ କହିଲେ ସଚିବ,

‘‘ଅବଧାନ ଜେମାମଣି,

ସ୍ୱଦେଶେ ଏଥର ଫେରିବା, ଏବେ ତ

ଦେଶାଟନ ସାରିଲାଣି ।’’

‘‘ଦେଖିନାହିଁ ବନ, ଉତ୍ସୁକ ମୋ ମନ

ବିନ୍ଧ୍ୟାଟବୀ ଦରଶନେ,

ଗିରି ଚିତ୍ରକୂଟ ଋଷିଙ୍କ ନିବାସ-

ପବିତ୍ର ମୁନି ଆଶ୍ରମେ

ଫଳମୂଳାତିଥି ହେବା ମୋ ବାସନା,

କହ ଏଥି କିବା ଦୋଷ ?

ଦେବପୂତ ଗୀତ ଋଷି ଶ୍ରୀମୁଖରୁ

ଶୁଣି ତ ଲଭିବି ତୋଷ ।’’

ଏତେ ଭାଷି ଜେମା ନୀରବନ୍ତେ ବୃଦ୍ଧ

କହିଲେ ସମ୍ଭ୍ରମେ ଅତି ?’’

‘‘ହେବ ସାହସିନୀ ବନଭ୍ରମଣେ କି,

ନୋହିବ କି ଭୀତ ଅତି ?’’

‘‘ପବିତ୍ର ସେ ବନ ତୀର୍ଥଶିରୋମଣି,

ତୀର୍ଥ ଦରଶନ ଲାଗି

ପିତୃ ଅନୁମତି ଲଭିଅଛି, ତେଣୁ

ବାଞ୍ଛା ମୋ ନ ପାରେ ତ୍ୟାଗି ।’’

କହିଣ ‘ତଥାସ୍ତୁ’ ପାତ୍ରମିତ୍ର ଆଦି

ବାହାରିଲେ ଭ୍ରମି ବନ,

ଖଣ୍ଡିପାରେ କେହୁ ବିଧିଲିପି କହ,

ହେଉ ସେ ମହାନ ଜନ ।

ସାବିତ୍ରୀ ସୁଶୀଳା ରାଜଋଷିବାଳା

ଦେବୀ ସ୍ୱଭାବେ ସେ ପୂତା,

ବନର ନିସର୍ଗ ଛବି ଅବଲୋକି

ହେଲା ଅତି ହର୍ଷଯୁତା ।

ବନ ସେ ସୁନ୍ଦର ବନ ସେ ଉଦାର

ବନ ସେ ମହତ ଅତି,

ତରୁଲତା-ଜଟା- ଭାର ବହି ଶିରେ

ଉଭା ନଗ ବୃଦ୍ଧ ଯତି ।

ମଉନ ବରତେ ଅୟୁତ ଅୟୁତ

ବରଷ ତପିଛି ଗିରି,

ଜିଣିନାହିଁ ଇନ୍ଦ୍ର- ପଦ ଯଦି ହେଳେ

ଜିଣିଛି ଅମର-ଶିରୀ ।

ପ୍ରବାଦ ତ ତିର ବିସମ୍ୱାଦୀ ନଗ

ରାଜ ସ୍ୱର୍ଗରାଜ ବେନି,

ବିଚ୍ଛେଦି ଅଦ୍ରିର ପକ୍ଷ ସହସ୍ରାକ୍ଷ

ବିଭୀଷଣ ବଜ୍ର ଘେନି

ଅଚଳ ନାମ ତା’ ଚଳାଇଲେ ବଳେ

ବଳାରାତି ବସୁଧାରେ,

ଶୈଳେଶ୍ୱର ସୁତ ପଶିଲା ମୈନାକ

ଆତଙ୍କେ କରୁଣାଗାରେ ।

ହିମ-ଊର୍ଜସ୍ୱଳ ବିଶାଳ ବପୁ ତା’

ନିଜେ ଜଳଦଳପତି

ପାତାଳ ଗରଭେ ଲୁଚାଇ ଲଭିଲେ

ଭବେ ବିଶାଳ କୀରତି ।

କ୍ଷୋଭେ ଅଭ୍ରଭେଦୀ ଅଦ୍ରି ଅଦ୍ୟାବଧି

ସ୍ମରିଣ ପୁରୁବ କଥା

ତପୁଛି ଆତପେ, ନିର୍ଝର ପରାଏ

ଝରୁଛି ତା’ ହୃଦବ୍ୟଥା ।

ରୁକ୍ଷବକ୍ଷ ଶୈଳ ଶିଳା ଫାଟ ତଳେ

ଝରିପଡ଼େ ସ୍ୱଚ୍ଛ ଝର,

ରୁକ୍ଷ ସିନା ଦେହ, ଅନ୍ତର ଭିତର

ସ୍ନେହେ ସ୍ୱତଃ ଜରଜର ।

କମ୍ୱୁକମ କଣ୍ଠେ ଶାଣିତ ଛୁରିକା

ଭେଦି ନ ଲଭିଲା ବ୍ୟଥା,

ନିର୍ଝର ନିରେଖି ମନେପଡ଼େ ଦୁଷ୍ଟ

ଦସ୍ୟୁ ରତ୍ନାକର କଥା ।

ତୁଚ୍ଛ ଅର୍ଥ ହେତୁ ବାନ୍ଧିଲା ବ୍ରାହ୍ମଣେ

ଚୋର କଳଙ୍କିତ କରେ,

କ୍ରୌଞ୍ଚ ମିଥୁନର ବିଚ୍ଛେଦ ଦୁଃଖେ ତ

ତା’ ନୟନୁ ନୀର ଝରେ ।

କୈଳାସ ଶିଖରୁ ଜାହ୍ନବୀଜୀବନ

ଜିଣି ଯା ଶ୍ଳୋକଲହରୀ ।

ପ୍ଲାବିଲା ଭାରତ ଓହ୍ଲାଇ ତା’ କଣ୍ଠୁ

ପବିତ୍ର କାବ୍ୟଶିଖରୀ ।

କାହିଁ ସେ ବାଲ୍ମୀକି କବିକୁଳଗୁରୁ

ପକ୍ଷୀଗୁରୁ ପିକ ସରି

ଭାରତ ବସନ୍ତ- ମୁକୁଳିତ ଚୂତ-

କାନନକୁଞ୍ଜବିହାରୀ ?

ନୀରବ ସେ ବୀଣା- ନୀରବ ନୁହେଁ ତ

ଝର୍ଝରେ ବନ୍ଧୁର ଶୈଳ-

ଭାରତ ବିଦୀର୍ଣ୍ଣ ଶିଳାବକ୍ଷେ ସ୍ରୋତ

ରାମାୟଣ ଅନାବିଳ ।

ନିଭିଛି ଭାରତ- ପୂରୁବ ଗୌରବ-

ଜ୍ୟୋତି, ଏବେ ଅମାରାତି,

ଅତୀତ ସ୍ମରଣେ କି ଲାଭ ହେ କହ

ଦୁଃଖେ ମାତ୍ର ଫାଟେ ଛାତି ।

ଯାଅ ଗୋ ଅତୀତ ସ୍ମୃତିପଟୁଁ ମୋର,

ଦେଖାଅ କେବଳ ଚିତ୍ରି ।

ମହନୀୟ ଦୃଶ୍ୟ ସେ ମହାବନର

ଭ୍ରମିଲା ଯହିଁ ସାବିତ୍ରୀ

ବନେ ଫୁଲଫଳ ରାଶି ରାଶି ଠୁଳ,

ବର୍ଣ୍ଣନା ହାରିଛି ତହିଁ,

ବିବିଧ ଶୋଭା ଗୋ ମେଳ ଏକାଧାରେ,

ଅଳକା କି ଶୋଭେ ମହୀ !

କାହିଁ ମାଳ ମାଳ ବନସ୍ପତିଦଳ

କାହିଁ ମାଳ ମାଳ ଲତା,

ଅନ୍ତର ଅନ୍ଧାର ପୂରି ରହି କାହିଁ

ଭୁଲାଉଛି ଆତ୍ମସତ୍ତା ।

ପ୍ରଶାନ୍ତ ସରସୀ- ନୀଳ ବାରିରାଶି

ମଣ୍ଡିଛି ସୁମନବ୍ରଜ,

ବିମଳ କୋମଳ ମଳୟ ମାରୁତେ

ଉଡ଼ି ପଡ଼େ ଫୁଲରଜ ।

କାହିଁ ଗୁଣୁଗୁଣୁ ଗାଉଛି ଭ୍ରମର

କାହିଁ ପିକ କୁହୁକୁହୁ,

କାହିଁ କାକସ୍ୱନ, ଝିଙ୍କାରି ଝଙ୍କାର,

କପୋତ କରୁଣ ହୁଁ ହୁଁ ।

ମେଳ ନଦୀକୂଳେ ନଦୀକୂଳବନ୍ଧୁ

ବକାବଳୀ ମାଳ ମାଳ,

ବୃକ୍ଷେ ତୀକ୍ଷ୍‌ଣଚଞ୍ଚୁ ବସିଅଛି ଶୁକ

ଆଶ୍ରିଣ ଶ୍ୟାମଳ ଡାଳ ।

କାହିଁ ବେତ୍ର ବନ କାହିଁ କିଆ କୁଞ୍ଜ

କାହିଁ ଚୂତ ତରୁବୀଥି,

କାହିଁ ନାଗଲତା ପୂଗ ଅଗଶରେ

ଜଡ଼ି ବଢ଼ାଇଛି ପ୍ରୀତି ।

ଜୀବନେ ମରଣେ ସାଥୀ ପରସ୍ପର

ଏ ସିନା ବିଶୁଦ୍ଧ ପ୍ରେମ,

ସରି କି ସଙ୍ଗତେ ତୁଳା ଲଭିବାକୁ

ରାଜକୋଷ ମଣି ହେମ !

ଶିମୁଳ, ପଳାଶ, ଶାଳ, କେନ୍ଦୁ, ଜାମୁ

ଫୁଲ-ପ୍ରଫୁଲ୍ଲିତ ଡାଳ,

କୂର୍ମ, ଦେବଦାରୁ, ଶିଶୁ, ପିଆଶାଳ,

ପଣସ ତ ମାଳ ମାଳ ।

କାହିଁ ବୃଦ୍ଧ ବଟ ଓହଳ ଗହଳେ

ଅନ୍ଧାର ରହିଛି ବାନ୍ଧି,

ପ୍ରାଚୀନ ଅଶ୍ୱତ୍‌ଥ ପିପ୍‌ପଳ କାହିଁ ବା

ପରସ୍ପରେ ବିସମ୍ୱାଦୀ ।

ପତର ଶ୍ୟାମଳ ତେନ୍ତୁଳି ତରୁରେ

ଆସିଲାଣି ଫୁଲ ଫୁଟି,

ରଙ୍ଗଣୀ, ଅଶୋକ ବଢ଼ାଇଛନ୍ତି କି

ସ୍ନେହରଙ୍ଗ ଫୁଲ ମୁଠି ।

ଘନ ମହାବନେ ଶୁଭେ ଦୂରେ ଦୂରେ

ବ୍ୟାଘ୍ର ଭୀମ ଗରଜନ,

ଚଞ୍ଚଳେ ଚଞ୍ଚଳେ ପକାନ୍ତି କୁରଙ୍ଗେ

ସୁଚଳିତ ସୁଲୋଚନ ।

ବହେ କ୍ଷୁଦ୍ର କ୍ଷୁଦ୍ର ଗିରିପାଦେ ନଦୀ,

ଜଳ ସ୍ୱଚ୍ଛ ହୀରାଧାରା,

ତୀରତରୁଦଳ- ଝରା ଫୁଲବ୍ରଜ

ସତେ ନୀଳାକାଶେ ତାରା !

ଲୁଚି ବୃକ୍ଷକାଣ୍ଡେ ଖେଳୁଛି ଗୁଣ୍ଡୁଚି

ରମ୍ୟ ଲୁଚୁକାଳି କିବା,

ଅର୍ଦ୍ଧଭୁକ୍ତ ଫଳ ଖସିପଡ଼େ ମୁଖୁଁ,

ପକ୍ଷୀ ଗିଳେ ତୋଳି ଗ୍ରୀବା ।

ବିସ୍ତାରିତ-ଛତ୍ର- ପତ୍ର-ଦଳଶିର

ତାଳ-ତଳେ ଭୀମ ଅହି

ବୁଲେ ଫଣା ଟେକି, ତା’ ଅଦୂରେ ପୁଣି

କରୁଛି ନାଟ ବରହୀ !

କି ଗରବୀ କେକୀ ପୁଚ୍ଛ ଉଚ୍ଚେ ଟେକି

ଦେଖାଉ କି ଚନ୍ଦ୍ର-ଶିରୀ,

ପାଦକୁ ଅନାଇ ମନ ମରୁଥାଇ,

ବିଧାତା ଏଡ଼େ ବଇରୀ !

କାହିଁ ବା ବିକଚ କମଳ କୁସୁମ-

କାନନଶୋଭିତ ସରେ

ଶଙ୍ଖ ମଲମଲ ହଂସୀ ଦଳଦଳ

ହଂସରାଜ କେଳି କରେ ।

ଚଞ୍ଚୁ ମୁନେ ଟାଣି ମୃଣାଳ ସହସା

ପଡ଼େ ଘୋର ପରମାଦ,

ଅମୃତ ଭୋଜନୁଁ ଉଠେ କି ଉପାସୀ

ନ ପୁରୁଣୁ ମନ ସାଧ ।

ମହା କୋଳାହଳେ ପୂରାଇ ଦିଗନ୍ତ

ଦନ୍ତାବଳ ଦଳେଶ୍ୱର

ସରସେ ପଶିଣ ଦଳଇ ଦରପେ

ପଦ୍ମଦଳ ମନୋହର ।

ଉଡ଼ି ତ ପଳାନ୍ତି ହଂସ, ହଂସରାଳୀ

ବକାଳି, ବାଲିକୁକ୍‌କୁଟ,

ଆନନ୍ଦଅମୃତେ ନୈରାଶ୍ୟବିଷ କି

ମିଶାଇବା ବିହି କୂଟ !

ବାପୀତଟବନ ବଟବିଟପୀରେ

ବାୟସ, କଜ୍ଜଳପାତି

କୋକିଳ, ମଇନା, ହଳଦିବସନ୍ତ

ନୀଡ଼େ କ୍ଷଣେ ଲୁଚିଯାନ୍ତି ।

ପ୍ରଶାନ୍ତ ପବିତ୍ର ବନ ଆଶ୍ରମର

ଦୂରୁଁ ଦିଶେ ନାରିକେଳ,

ଦ୍ରୁମଶ୍ରେଣୀ ଶୋଭା ବଂଶକୁଞ୍ଜ ଛବି

ନିମ୍ୱ, ଆମ୍ୱ ତହିଁ ମେଳ ।

ଚନ୍ଦନ ସୁବାସ- ବାସିତ କାହିଁ ବା

ବନାବଳୀ ମନୋହର,

ବଦରୀ, ଦାଡ଼ିମ୍ୱ, ନୀପ, ନାରଙ୍ଗ ତ

କାହିଁ ବନ୍ଧୁ ପରସ୍ପର ।

ଦେଖୁଁ ଦେଖୁଁ ଜେମା ଭାବରେ ବିଭୋର

ପୁଲକାଶ୍ରୁ ନୟନରେ,

ମିଳିଲେ ଆସିଣ ପ୍ରାତେ ଦିନେ କେଉଁ

ଋଷି ପୁଣ୍ୟ ଆଶ୍ରମରେ ।

ଋଷିଆଶ୍ରମ ସେ ମରତେ ତ୍ରିଦିବ,

ପଙ୍କସରେ ପଦ୍ମ ଯଥା,

ହଜିଛି ତହିଁ କି ଶୋକ-ଦୁଃଖ-ତାପ,

କାମନା, ବାସନା ବ୍ୟଥା ।

ବନ ମଧ୍ୟେ ଅତି ବିସ୍ତୃତ ଭୂଖଣ୍ଡ

ପରିଷ୍କୃତ ପରିଚ୍ଛନ୍ନ,

କ୍ଷୁଦ୍ର କ୍ଷୁଦ୍ର କୁଟୀ ମୁନିଋଷିଙ୍କର

କି ପାବନ ଶୋଭାବନ !

ସ୍ୱଭାବେ ସନ୍ତୁଷ୍ଟ ତାପସ ତାପସୀ

ସଂଯମୀ ସୁଧୀର ଶାନ୍ତ,

ପୁଣ୍ୟଶ୍ରୀ ବିସ୍ତାରି ଆବାସ ତାଙ୍କର

ଶୋଭିଛି କି ବନପ୍ରାପ୍ତ !

ସରମ କୁସୁମ ଫଳ ପର୍ଣ୍ଣେ ପୂରି

ସରସ ପାଦପପନ୍ତି,

ସୁଷମା ନିରେଖି ମନେହୁଏ ସତେ

ସ୍ୱୟଂ ଲକ୍ଷ୍ମୀ ନିବସନ୍ତି ।

ତୃଣ ଆସ୍ତରଣେ ଚରେ ମୃଗଶିଶୁ

ମେଷଶିଶୁ ବତ୍ସତରୀ,

କାହିଁ ତୃଣ ମୁଖେ ଦିଏ ଶାବକର

ମୁନିକନ୍ୟା କରେ ଧରି ।

ସ୍ୱଭାବେ ସରଳା ତାରବ-ବଳ୍‌କଳା

ଅଳଙ୍କାରଶୂନ୍ୟ-ବେଶୀ

ମଣ୍ଡି ଫୁଲମାଳେ କଳେବର କାନ୍ତି

ବଢ଼ାଇଛି ମଞ୍ଜୁକେଶୀ ।

ତାପସୀ ତରୁଣ ପଶିଣ ଉଦ୍ୟାନେ

ତୋଳୁଛନ୍ତି ପୂଜାଫୁଲ,

ହୋମପୂତ ଗନ୍ଧ ମିଶଇ ସମୀରେ,

ସେ କି ପୁଶ୍ୟାମ୍ୱ ଠୁଳ !

କାହିଁ ବୃଦ୍ଧ ଯତି ଧ୍ୟାନମଗ୍ନ ଯୋଗୀ

ନେତ୍ର ବେନି ନିମୀଳିତ,

କାହିଁ ବା ତାପସ ମାଳା ଜପି ଜପି

ସ୍ତୋତ୍ରପାଠେ ଅବହିତ ।

ନିରେଖୁଁ ନିରେଖୁଁ ଇଚ୍ଛିଲା ସାବିତ୍ରୀ

ଅନ୍ତରେ ଆଶ୍ରମ ବାସ,

ଇଚ୍ଛିଲା ବଳ୍‌କଳ- ବସନେ ନାଶିବ

ଅଙ୍ଗୁ ଅଳଙ୍କାର ପ୍ରାସ ।

ପିନ୍ଧି ଫୁଲଭୂଷା ଫୁଲରାଣୀ ପରି

ପ୍ରାତଃ ସନ୍ଧ୍ୟା ଦେବାର୍ଚ୍ଚନେ

କଟାଇବ ଦିନ ବାସନା ପ୍ରବଳ

ଉଠିଲା ତାହାରି ମନେ ।

ତେଜିଣ ଶିବିକା ପଡ଼ିଲେ ଓହ୍ଲାଇ

ସଖିମେଳେ ରାଜସୁତା,

ପିଞ୍ଜର ପକ୍ଷୀ କି ଆଜି ଏତେଦିନେ

ହୋଇଲା ବନ୍ଧନମୁକ୍ତା !

ବୁଲି ବୁଲି ବନ- ଶୋଭା ଦେଖିବାର

ଉଦେ ମନେ ଅଭିଳାଷ,

ସଚିବ ସାମନ୍ତ ବସି ବୃକ୍ଷମୂଳେ

କଲେ ସୁଖେ ଶ୍ରମ ନାଶ !

ମାଧବୀ, ମାଳତୀ, ରମା, ଉମା ସଖୀ-

ଚତୁଷ୍ଟୟ ସଙ୍ଗେ ଘେନି

ଭ୍ରମନ୍ତି ସାବିତ୍ରୀ ଏଣେତେଣେ ଯଥା

ଭ୍ରମିଥିଲେ ଯାଜ୍ଞସେନୀ ।

ପାଣ୍ଡବଙ୍କ ମେଳେ ବୁଲିଥିଲେ ସେହି,

ଏ ବୁଲନ୍ତି ସଖୀମେଳେ,

ନୀରଦବରଣା ଯାଜ୍ଞସେନୀ ଏ ତ

ସ୍ଫୁରତ୍‌ଶମ୍ପା ଗତିବେଳେ ।

ପ୍ରଫୁଲ୍ଲ-କମଳ- କୋମଳବଦନା

କୁନ୍ଦକଳି-ସୁରଦନା

ସ୍ମିତ ମୁଖେ ସୁଖେ ଚିହ୍ନାନ୍ତି ସଖୀଙ୍କି

ବୃକ୍ଷଲତା ଅଗଣନା ।

ଅଶେଷ ବିଜ୍ଞାନ- ଜ୍ଞାନେ ସୁପଣ୍ଡିତା

ସୁରଭି ନାରୀରରାମ

ବଖାଣନ୍ତି ସଖୀ- ବ୍ରଜ ସମୀପରେ

ଫୁଲ ଫଳ ପର୍ଣ୍ଣ ନାମ ।

ସ୍ୱଭାବେ ବସନ୍ତ ସୁକାନ୍ତ ପ୍ରଶାନ୍ତ

ରଞ୍ଜିଛି ସେ ବନସ୍ଥଳୀ,

ଫୁଟିଛି ତେଣୁ କି ଗଞ୍ଜି ଶୋଭାରଣୀ

ନନ୍ଦନର ଶୋଭାବଳୀ !

ଫୁଲ୍ଲ ନାଗେଶ୍ୱର କେଶର ବିକାଶ

ହେବ ହର-କରୀ ଅବା,

ହରି-ହୟ ପ୍ରିୟ ପାରିଜାତ ଜିଣି

ମୁଞ୍ଜରେ ମଞ୍ଜୁଳ ଜବା ।

ଜଗତଜନନୀ- ରଞ୍ଜିତ ରାଜୀବ

ଯୁଗଳ ଚରଣ ତଳେ

ସେବା ଅଧିକାର ଲଭି କି ମନ୍ଦାର

ବର୍ଣ୍ଣ ବଇଭବେ ଝଳେ !’

ଶୋକନାଶୀ ଶୁଚି- ପୁଷ୍ପପୁଞ୍ଜେ ମଞ୍ଜୁ

ଅଶୋକ କି ଋଷି ସରି,

ଦୟାବତୀ ନେତ୍ର- ନୀରବିନ୍ଦୁ ଅବା

ବକୁଳ ମୂଳେ ସେ ଝରି !

ବସନ୍ତରସିକ ପିକ ପିକବଧୂ

କେଳିକୁଞ୍ଜ ସହକାର

ନବ ସୁପଲ୍ଲବ ବକୁଳ ବସନେ

ବନ୍ଦେ ପାଦ ବିଧାତାର ।

ମଞ୍ଜୁ ଗୁଞ୍ଜରଣେ ଗୁଞ୍ଜି ମଧୁବ୍ରତ

ପ୍ରଚାରେ କି ମଧୁ ଯଶ,

ମଳୟ ମାରୁତେ ମାଧବୀ ନିଆଳୀ

ଫୁଟି ମୁଖ ହସହସ ।

ନିକାଞ୍ଜନ ବନ- ଶୋଭିତ ଆଶ୍ରମେ

ଉଭା ସତେ ଶୋଭାରାଣୀ,

ଭୋଳ ଜେମାମଣି ସେ ଶୋଭା-ସୁଧାରେ

ନିଜର ଶୋଭା ନ ଜାଣି ।

ବସନ୍ତ-ବସନ ଫୁଲଜରିଦିଆ

ପିନ୍ଧିଛି କି ବର ଅଙ୍ଗେ,

ଦିନାନ୍ତ-ରଞ୍ଜିତ ବାରୁଣୀ ଗଗନ-

ଝଲକ କି ଫୁଲ ରଙ୍ଗେ !

ନୀଳ ମେଘେ ରମ୍ୟ ଇନ୍ଦ୍ରଚାପ ସରି

ପତ୍ରଦଳେ ଫୁଲହାର,

ଧାତକୀ ତିଳେଇ ଧଳା ପାଟଳିମା

ମିଶି ରଙ୍ଗ ଏକାକାର ।

ଜଳେ ସ୍ଥଳେ ପଦ୍ମ ଫୁଟଇ, ଏକାଳେ

ଆକାଶେ ଫୁଟିଛି ଅବା,

ଉଜ୍ଜ୍ୱଳ ଇଜ୍ଜଳ, ଶିମୁଳ, ପଳାଶ

ଶିରେ ବହି ଫୁଲଗଭା ।

ପୀତ ଗନିଆରୀ କାଞ୍ଚନ ସୁନାରୀ

ସୁନାଶିରୀ ଫୁଲଝରା,

ସୁନାସୀର-ପଦ- ସାର ପଦ୍ମସମା

ସୁନାରୀ ରୂପପସରା ।

ଶଚୀ ଶୋଭାବୀଚି ରାଗସାଗରର

ରୁଚି ପାରିଜାତେ ଯାର

ତା’ ବରାଙ୍ଗ ରଙ୍ଗ ଦରପ ଭଙ୍ଗାଇ

ବୋଲାନ୍ତି ସେ ସୁନାହାର

ବାତାବୀ ବାସଙ୍ଗ ଲଭି ମଧୁସଙ୍ଗ

ଫୁଲେ ଦିଶୁଛନ୍ତି ତୋରା,

(ସେ କି) ମାଧବ ବରାଙ୍ଗେ ଫୁଲ ଶୋଭା-ଅଙ୍ଗୀ

ରାଈମଣି ଚମ୍ପାଗୋରା !

ଫୁଲ୍ଲ ଶୋଭାଞ୍ଜନ ପ୍ରସୂନ ଶୋଭାରେ

ବିଳସୁଛି ଫୁଲଚୁଇଁ,

ଦାସୀ ସହଚରୀ ଫୁଲବେଶେ ଏବେ

ସଜାଡ଼ନ୍ତି ବନଭୂଇଁ ।

ପଲ୍ଲବପାଟଳ କାନନ ଶୋଭାରେ

ପାଟଳୀ ମିଶିଛି ପୁଣି,

ପତରେ ପତରେ କୁଞ୍ଜେ କୁଞ୍ଜେ ଆହା

ଫୁଲ କେ ଦେଇଛି ବୁଣି ?

ବନଭୂମି ଅନ୍ତେ ଆଶ୍ରମସରଣୀ,

ବେନିପାଶେ ଫୁଲକୁଞ୍ଜ,

ସେବତୀ, ରଙ୍ଗଣୀ, କାମିନୀ, କରବୀ,

ତରାଟ, ତୁଳସୀପୁଞ୍ଜ ।

ଫୁଲ ପେନ୍ଥା ପେନ୍ଥା ନଇଁ ସେ ଓହଳି

ଭୂଇଁ ଛୁଇଁ ପଡ଼େ ଡାଳ,

କଣ୍ଟା ଫୁଲ ବେନି ଘେନି କୁରୁବକ

ବାଡ଼ କରେ ମାଳମାଳ ।

ତା’ ସଙ୍ଗେ ସଙ୍ଗାତ ନିମ୍ୱ, ଆଷାଢ଼ୁଆ

ପିନ୍ଧି ଫୁଲ ଧଳା ଧଳା,

ବରକୋଳି, କେନ୍ଦୁ ଜାମୁ, ଆମ୍ୱ ଗଛ

ଡାଳେ ଛନ୍ଦି ଛନ୍ଦି ଗଳା ।

ପକ୍ୱ ଫଳ ଧରି କେ ବଡ଼ ସୁହାଗୀ

ଧରିଛି କେ ଫଳ କଷି,

ନିଜ ଶୋଭା ଅଜ୍ଞ ମନୋଜ୍ଞ ଭାବିଣ

ଅପରେ ଅଛନ୍ତି ରସି ।

ଖରା ଝିକି ଝିକି ମାରୁଛି ପତରେ

ଫୁଲୁଁ ଖସେ ହିମହାର,

ଠାବେ ଠାବେ ଆହା ନଇଁଛି ଭଇଁଚ

ନ ସହି ପତରଭାର ।

ଏ ଗଛୁଁ ସେ ଗଛୁଁ ସିନ୍ଦୂରମୁଣ୍ଡୀ କି

ଉଡ଼ିବୁଲେ ରାବି ରାବି,

ଗୀତ କି ଗାଉଛି ହଳଦୀବସନ୍ତ

ବସନ୍ତ ବନ୍ଦନା ଭାବି !

ମୁନିଟି ପରାଏ ଆଖି ମୁଦି ଶୁକ

ଜାଗ୍ରତେ ଶୋଇଛି ପରା,

ଆହାର ଖୋଜଇ ଏଣେତେଣେ ବଣି,

କାକ ଡାକିଉଠେ ତ୍ୱରା ।

ଖୁଣ୍ଟେ ଖୁଦକଣା ପୋଷା ପାରାବତ,

ବାଜଇ ଝୁମୁକା ପାଦେ,

ଅନୁକରି ପିକ- କୁହୁ କୁହୁ କିବା

ବୁଲେ ହର୍ଷେ ହୁଁ ହୁଁ ନାଦେ !

ରୂପ ଗରବରେ ମୟୂର ମୟୂରୀ

ପୁଛ ଟେକି ଫରଫର,

ଘରଚଟିଆ ସେ ଏ ଗଛୁଁ ସେ ଗଛୁଁ

ଉଡ଼ୁଥାଏ ତରତର ।

ବାଆ ପାଣି କଲେ କି ଯାଏ ବାୟାର,

ବସା ତ ଝୁଲଇ ଡାଳେ,

ପଲ ପଲ ହୋଇ ଉଡ଼ି ବସୁଛନ୍ତି

କି ଦକା ସଞ୍ଜେ ସକାଳେ ?

କଜଳପାତିଟି ବସିଛି ନୀରବେ

ବୃକ୍ଷ ଅଗ ଡାଳେ ଯାଇ,

ଲାଜେ ମରେ କି ସେ ନିଜ କଳା ରୂପେ

ଜେମାମଣି ରୂପ ନାହିଁ ।

ହାତ ଧରାଧରି ଚାଲିଛନ୍ତି ଜେମା,

ଚାଲିଛନ୍ତି ପ୍ରିୟ ଆଳୀ,

ନମନ୍ତି ସମ୍ଭ୍ରମେ ମୁନିକୁମାରୀଏ

କେ ନୃପକୁମାରୀ ଭାଳି ।

ଲାଜେ ଘୁଞ୍ଚି ଜେମା ମଉନେ ଶିରକୁ

ନୁଆଇଁ ବଦନ୍ତି ତ୍ୱରା,

ଆସିଅଛି କାହିଁ ନ ପଚାରେ କେହି,

ବାଚାଳତା ହେବ ପରା ।

ସୁଚାରୁଚାଳିତ ଆଶ୍ରମ ନିୟମେ

ତାପସ ତାପସୀ ସଂଘ,

ଶାସନ୍ତି ଋଷିଏ ବିହି ଦଣ୍ଡ ଗୁରୁ

କରେ କେ ନିୟମ ଭଙ୍ଗ ।

ଅତିଥିର ସେବା କରିବାର କିନ୍ତୁ

ନ ଥିଲା କାହାରି ମନା,

ଫୁଲ ଫଳ ଜଳ ଘେନି ଜେମାପାଶେ

ଉଭା ହେଲେ ଋଷିକନ୍ୟା ।

ସରମେ ଆଦରେ ନମି ତାପସୀଙ୍କି

ଫଳଟି ଘେନିଲେ ହାତେ,

ପଚାରିଲେ ଆସି ବୃଦ୍ଧା କେହି, ‘‘ମା ଗୋ,

ଭ୍ରମ କିମ୍ପା ବନେ ପ୍ରାତେ ?’’

‘‘ତୀର୍ଥ ଦରଶନେ ଆସିଅଛି ମାତା’’

କହିଲେ ସାବିତ୍ରୀ ନମି,

କହେ ସଖୀ, ‘‘ମଦ୍ର- ରାଜଜେମା, ପିତା,

ଅଶ୍ୱପତି ପରାକ୍ରମୀ ।’’

‘ମଦ୍ରରାଜଜେମା ସାବିତ୍ରୀ’ ଶ୍ରବଣେ

ବିସ୍ମିତା ତାପସୀ ଅତି,

ପୁଚ୍ଛିଲେ ସମ୍ଭ୍ରମେ ଘେନିଯିବେ ଅବା

ଆଶ୍ରମେ ଋଷିଙ୍କ କତି ।

ସମ୍ଭ୍ରମ-ସରମେ ଆଦର ଆହ୍ୱାନ

ପ୍ରତ୍ୟାଖ୍ୟାନି କଉଶଳେ

ଶିଷ୍ଟ ଭାଷେ ତୋଷି ତାପସୀନିଚୟେ

ଭ୍ରମିଲେ ସଖୀଙ୍କ ଦଳେ ।

କିଛି ଦୂର ଯାଉଁ ପଥ ଆନ ପ୍ରାନ୍ତେ

ନିରେଖେ ମାଧବୀ ଫେରି,

ଉଭା ସେ କେ ସୂର୍ଯ୍ୟ- ମଣ୍ଡଳସନ୍ନିଭ

ଋଷିସୁତ-ଗ୍ରହ ଘେରି ।

କରକେ ଧରିଣ କ୍ଷୁଦ୍ର ଆମ୍ୱଶିଶୁ

ଆନ କର ସଖା ସ୍କନ୍ଧେ

ଉଭା ସେ ମୁରତି, ଭବେ ବିଜେ ଅବା

ନାରାୟଣ ମହାନନ୍ଦେ !

ଫେରିଣ ସହସା ଚାହିଁଲେ ସାବିତ୍ରୀ

ପଲକେ ପୁଲକେ ଭାସି

ଦିବ୍ୟ ଜ୍ୟୋତିଷ୍ମାନ ଉଦାର ସୁନ୍ଦର

ଯୁବା ସେ କି ସ୍ୱର୍ଗବାସୀ !

ଆନତ ଆନନେ ଜଡ଼ିତ ସରମେ

ସାବିତ୍ରୀ ମରମ ବାଜି

ବିନ୍ଧିଲା କାହାର ବିଶାଳ ବିମଳ

ନେତ୍ର-ଜ୍ୟୋତିଃ-ଶରରାଜି ।

ସାବିତ୍ରୀ ! ସାବିତ୍ରୀ ! ଆତ୍ମସତ୍ତା ତୋର

ହଜିଲା କି ଏହି କାଳେ,

କହେ ତେଣୁ ଆଗୋ, ବିଧିଲିପି କେହି

ଖଣ୍ଡିଛି କି କାଳେ କାଳେ ?

☆☆☆

 

ତୃତୀୟ ସର୍ଗ

 

ବିଧାତାର ସୃଷ୍ଟି ସାର-ନମସ୍କାର

ଯୁବାବର ଗୁଣମଣି,

ରୂପଗୁଣ ବେନି ଘେନି କେ ଦିଶନ୍ତି

ନର ଶିର-ଶିଖାମଣି !

କବି କଳପନା ଯିବ କେତେ ଦୂର

ଉଚ୍ଚ କଳପନା ବଳି,

ରୂପ କଳିବି କି ଗୁଣକୁ କଳିବି

ଏ ତାରା ସେ ତାରା ଝଳି ।

ରୂପ ସୁରସାଣେ ଗୁଣ ସୁହାଟକ

ଦିଗୁଣ ଝଟକ ବଢ଼େ,

ରୂପ ସୁନାହାରେ ଖଞ୍ଜା ଗୁଣମଣି

ହୀରାଗଛ ମୋତିକଢ଼େ ।

ରୂପ ସେ ସୁନ୍ଦର, ରୂପ ସେ ଉଦାର,

ରୂପ ତାରକିତ ନିଶା,

ଗୁଣ ପରି ତାର ତାରକା ଭାତିରେ

କୋମଳ କୌମୁଦୀ ମିଶା ।

ରୂପ-ଜଳ-ଘନ- ସମାବେଶେ ଗୁଣ

ନୀଳିମା ପରାୟେ ଝଳେ,

ରୂପ କାନ୍ତ ନବ ବସନ୍ତ, ଗୁଣ କି

ଫୁଲବାସେ ପ୍ରତିଫଳେ ।

ରୂପ-ରାଜୀବକୁ ଗୁଣ-ରବିରାଗ

ସରାଗେ ଦେଇଛି ଚୁମ୍ୱ,

ରୂପ-ଶାମପର୍ଣ୍ଣେ ଗୁଣ-ଫୁଲପନ୍ତି,

ଶାନ୍ତି ସହ ଶୋହେ ଧ୍ରୁବ ।

ରୂପ ଗୁଣ ସେ କି ଯୁବାବର ଅଙ୍ଗେ

ଗଙ୍ଗା ଯମୁନା ସେ ମିଶା,

ଛନ୍ଦ ସୁଲଳିତେ ଛନ୍ଦା କି କବିତା,

ଗୀତ ସଙ୍ଗେ ଅବା ଦିଶା !

ଚାହିଁଲାବେଳକୁ ଚମ୍ପକ ମୂରତି

କମ୍ପେ ମନେ ଧଇରଯ,

ପ୍ରେମ ଇଚ୍ଛେ ହେମ- ଅଙ୍ଗ ଆଲିଙ୍ଗନ,

ଭକ୍ତି ଲୋଡ଼େ ପାଦରଜ ।

ଚାହିଁଲା ସାବିତ୍ରୀ, ଚାହିଁଲା କ୍ଷଣକ

କ୍ଷଣକେ ନିଜକୁ ଭୁଲି,

କମଳକୋମଳ ବଦନ କି ଲାଜ-

ସଞ୍ଚାରେ ଗଲା ମଉଳି !

ଶ୍ରୀପଦପଙ୍କଜ ପବିତ୍ର ତୀର୍ଥ ସେ

ମଣିଲା ମନେ ସରାଗେ,

ଆସନ ସେ ପଦ୍ମ- ପୟର ଛାୟାରେ

ଇଚ୍ଛିଲା କି ଅନୁରାଗେ !

ଚଞ୍ଚଳ ତା’ ମନ, ଚଞ୍ଚଳ ତା’ ନେତ୍ର

ଚିତ୍ରକର ତୂଳି ପରା,

ଆଙ୍କିନେଲା କ୍ଷଣେ ମାନସପଟରେ

ଯୁବାର ଶୋଭାପସରା ।

ମୃଗାଙ୍କ-ଲାଞ୍ଛନ- ବଦନ ମୋହନ

ମୃଗାକ୍ଷି-ଲାଞ୍ଛନ ଆଖି,

ଲଳିତ ଲାବଣ୍ୟ- ସୁଧା ସୁଷମାରେ

ଜେମା ମନ ରହେ ଲାଖି ।

ଆଖି ନୁହେଁ ଅବା କ୍ଷୀରାବ୍‌ଧି କି, ତହିଁ

ମନ୍ଦର ପଡ଼ିଛି ଢଳି,

ଦିନାନ୍ତେ ଫୁଟନ୍ତ ମଲ୍ଲିକା କୋରକେ

ନୀଳ ଭୃଙ୍ଗ ଅଛି ଗଳି !

ଅବା କଇରବେ ଭ୍ରମୁଛି ଭ୍ରମର,

ଚାହାଣି ଚାନ୍ଦିନୀ ଝଳେ,

ଶାନ୍ତ ସରସେ ବା ଉଷା ଆଗମନେ

ସଜ ସରସିଜ ଢଳେ !

ମାତ୍ର ଜେମା ଆଖି ଦେଖେ ତହୁଁ ବଳି

ଆନ ଶୋଭା ଉଚ୍ଚତର,

ମୁଖେ ପବିତ୍ରତା, ଶୁଭ୍ର ସରଳତା,

ଦିବ୍ୟ ତେଜ ମନୋହର ।

ପ୍ରଶାନ୍ତ ଗଭୀର ଚାହାଣିରେ ପୂରି

ରହିଛି ପ୍ରତିଭାରାଶି,

ଅନ୍ତର ଆକାର ମହତ୍ତ୍ୱ ଗାରିମା

ନୟନେ ଉଠେ ଉଦ୍ଭାସି ।

ସୁଦୂର ଅତୀତ ସ୍ୱପନରେ ଦିନେ

ଦେଖିଥିଲା କି ସୁମତି,

କ୍ଷୀଣ ସ୍ମୃତିପଟେ ରହିଛି କି ଲେଖା

ଏ ସେହି ପ୍ରିୟ ମୂରତି ?

ଅଚିହ୍ନା ଅଜଣା, ତଥାପି ଜେମାର

ପ୍ରାଣୁଁ ବଳି ପ୍ରିୟତର,

‘‘ନିଜ ନିଜ’’ ବୋଲି କହେ ଜେମାମନ

ଚିରବାଞ୍ଛିତ, ସୁନ୍ଦର ।

ବିଶାଳ, ସରଳ ଶାଳ ତରୁବର

ବରବପୂ ଉପମିତ,

ଆଜାନୁଲମ୍ୱିତ ବଳିଷ୍ଠ ଭୁଜଶ୍ରୀ

ଶତ୍ରୁ-ଦର୍ପ-ବଳଜିତ ।

ସୁବିଶାଳ ବକ୍ଷ ଅଙ୍ଗ ଶୋଭାରାଶି

ସମ କ୍ଷତ୍ରସୂତ ଦିଶେ,

ବେଶ ତାପସର, ଚନ୍ଦ୍ର ଚଉପାଶେ

ଶୁଭ୍ରାଭ୍ରମଣ୍ଡଳ କି ସେ !

ପାଦପବଳ୍‌କଳ- ବିଜଡ଼ିତ ତନୁ,

ହେମଗୌର ଦୀପ୍ତ କାନ୍ତି,

ସ୍କନ୍ଧେ ଉପବୀତ, କରେ ଫୁଲପାତ୍ର

ମୂର୍ତ୍ତିମନ୍ତ ପୂତ ଶାନ୍ତି ।

ଅବା ମୂର୍ତ୍ତିମନ୍ତ କାନ୍ତ ହେମବନ୍ତ

ଗିରୀଶ ହିମଶଇଳ,

ଉପବୀତ ସୂତ୍ର ସମା ସରସ୍ୱତୀ

ଜଳଧାରା ଅନାବିଳ ।

ସୁର-ତେଜ-ମର- ସୁଷମା ସମୂହ

ସମାବେଶ ଏକାଧାରେ,

ପରିମଳମୟ ଫୁଲମାଧୁରୀ କି

ମିଶିଛି ପ୍ରାତଃ ଶୋଭାରେ !

ଚୁମ୍ୱିଛି କୁଞ୍ଚିତ କୁରଳ କପାଳେ,

କାଦମ୍ୱିନୀ କୋଳେ ଶଶୀ,

କିବା ସେ କମଳ- କୁସୁମ ପାଖୁଡ଼ା,

ଭୃଙ୍ଗ ରହିଛନ୍ତି ବସି,

ଅବା ସେ ଲାବଣ୍ୟ ଲହରୀ ଶୋଭନ,

ଲଲାଟପଟ କି ତଟ,

ନିଶୀଥ ଉପମା ସେ କୃଷ୍ଣ ସୁଷମା,

ଭାଲ ଦିବା ଚିତ୍ରପଟ !

ଭୁରୁରୂପେ ସେ କି ସ୍ମିତ ଚନ୍ଦ୍ରମୁଖେ

ରମ୍ୟ କଳଙ୍କର ରେଖା,

ଅବା ସେ ଉଜ୍ଜ୍ୱଳ କପାଳଫଳକେ

ଦିବ୍ୟ ବର୍ଣ୍ଣାବଳୀ ରେଖା !

ରୁଚିର ବଦନ ବରରୁଚି ରଶ୍ମି

ରବିରଶ୍ମି ସମତୁଲ,

ତହିଁ ପୁଣି ସ୍ନିଗ୍‌ଧ ନୟନ ବେନି କି

ଚାନ୍ଦର ସୁଷମା ଠୁଳ !

ଶିରାପ୍ରଶିରାରେ ତଡ଼ିତ ପ୍ରବାହ

ନିମିଷେ ଗଲା ସଞ୍ଚରି,

ହୃଦପାରାବାରେ ତୁମୂଳ ଝଟିକା

ଭାଙ୍ଗିଲା କି ଧୈର୍ଯ୍ୟତରୀ !

ଜେମା ଭାବଭଙ୍ଗୀ ନିରେଖି ସଖୀଏ

କହିଲେ ଆଦରେ ଛଳି,

‘‘ବଶୀକରଣର ମୋହନ ମନ୍ତର

ଜାଣେ କି ଏ ବନସ୍ଥଳୀ;

ପାଦତଳ ବାନ୍ଧି- ଦେଲା କି ଏ ମାଟି,

ବାନ୍ଧିଲା କି କାହା ମନ,

ଆନତ ଆନନେ ଛିଡ଼ା କାହିଁପାଇଁ,

କିମ୍ପା କମ୍ପେ ଅପଘନ ?’’

ସରମେ ସାବିତ୍ରୀ ନ କହିଲା କଥା,

ରହିଲା ଭୂଇଁକି ଚାହିଁ,

ଏଣେ ସହସା ସେ ତାପସକୁମାର

ଅନାଇଲା କାହିଁ ପାଇଁ ?

ସହସା ତା’ ଆଖି ରହିଗଲା ଲାଖି

କାହାର ସୁନ୍ଦରାନନେ,

ଶୋଭିନୀ ସେ ବର- ବର୍ଣ୍ଣିନୀ, ମୋହିନୀ

ପଦ୍ମିନୀ କି ନାରୀ-ବନେ ।

ନୟନେ ନୟନ ମିଶିଲା ସହସା,

ମନରେ ମିଶିଲା ମନ,

ଟାଣିନେଲା ଯୁବା ଅୟସ ଅନ୍ତର

ଚୁମ୍ୱକଶଳାକା ସମ ।

ସର୍ବାଙ୍ଗୁଁ ପୁଲକ- ସ୍ୱେଦ ଗଲା ଦହି,

ଲାଜେ ଉପୁଜିଲା ସୁଖ,

ବିବେକ ପୀଡ଼ନେ ଭୀମମତି ଧୀରେ

ନତ କଲା ପଦ୍ମମୁଖ ।

ନିମିଷକ ଆଗେ ଥିଲା ସେ କି ଆନ,

ନିମିଷେ ହେଲା ସେ ଭିନ୍ନ

ଗଲା ବହୁଦୂରେ ମନ ପୁରାତନ

ପୂରୁବୁଁ ଯଥା ପଶ୍ଚିମ ।

କି କୁସୁମ ତୋଳି ଆସିଥିଲା ବନେ

ତୋଳିଲା ଭ୍ରମେ କି ଫୁଲ,

ଗରଳ ସୁଧାର ସଦନ ତହିଁ କି

ସୁଖ ଦୁଃଖ ଦୁଇ ଠୁଳ !

ନବାଲୋକ ଆଜି ଯୁବା ଲୋଚନରେ,

ନବଭାବ ହୃଦୟରେ,

ନବପ୍ରେମ ଆଜି ନବୀନ ପ୍ରାଣରେ,

ନବଶୋଭା ଚରାଚରେ ।

ନବ ସଙ୍ଗୀତରେ ହୃଦତନ୍ତ୍ରୀ ଆଜି

ବାଜିଲା ମୋହନ ସ୍ୱନେ,

ଉଲ୍ଲସିତ ଦେହ, ଉଚ୍ଛୁଳିଲା ସ୍ନେହ

ଧରା, ସାଗର, ଗଗନେ ।

ସଖାବେନି ମେଳେ ସ୍ନିଗ୍‌ଧ ପ୍ରାତଃକାଳେ

ଆସିଥିଲେ ବୁଲି ବନ,

ତୋଳି ଫୁଲକଳି ଦେବପୂଜା ପାଇଁ

ନେବେ ପରା ତିନିଜଣ ।

ପଛରେ ଗୋଡ଼ାଇ ଆସିଥିଲା ଏକ

କ୍ଷୁଦ୍ର ତୁରଙ୍ଗମ ଶିଶୁ,

ସତ୍ୟର ଜୀବନ- ଅଧିକ ସେ କି ଗୋ,

ସ୍ନେହରେ ମାନବଶିଶୁ ।

ଆଉଁସି ଆଉଁସି ପୃଷ୍ଠଦେଶ ତା’ର

କୋମଳ କରପରଶେ

ଭାସୁଥିଲା ଯୁବା ବେନି ସଙ୍ଗୀ ସହ

ଗଳ୍ପକ୍ଷୀରାର୍ଣ୍ଣବ ରସେ ।

ବସନ୍ତ, ସୁରଥ, ସତ୍ୟ-ସଖାତ୍ରୟ

ବୁଲୁଁ ବୁଲୁଁ ବନପ୍ରାନ୍ତେ

ସହସା ଅସଂଖ୍ୟ ଲୋକଙ୍କୁ ନିରେଖି

ହେଲେ ବିସ୍ମିତ ଏକାନ୍ତେ ।

ମୁନିକୁମାର ସେ କି କାର୍ଯ୍ୟ ତାଙ୍କର

ଘେନି ଆନ ପରିଚୟ,

ବନେ କି କାରଣ ଭ୍ରମନ୍ତି ଏମାନେ

ସଙ୍ଗେ ଘେନି କରୀ, ହୟ ।

ପାରିଧି କରି କେ ଆସିଥିବେ ନୃପ

ଏପରି ବିଚାରି ମନେ

କିଛିଦୂର ଯାଉଁ ଦେଖିଲେ ଅଦୂରେ

ଉଭା ଶୋଭା ବାମାଗଣେ ।

ମରତ ମାନବୀ ନୁହଁନ୍ତି ସେ ଅବା

ସ୍ୱରଗର ଅପସରୀ,

କିମ୍ପା ଉଭା ଆଜି ନିକାଞ୍ଜନ ବନେ

ନାରୀକଳେବର ଧରି !

ବସନ୍ତ, ସୁରଥ- ମୁନିକୁମାର ସେ,

ନ ଥିଲା ତହିଁକି ମନ,

ମାତ୍ର ସତ୍ୟବାନ- ସେ ରାଜନନ୍ଦନ,

ଅନାଇଲା ଘନଘନ ।

ବସନ୍ତ, ସୁରଥ ବେନି ଜନେ ସତ୍ୟ

ପଚାରିଲେ ତଥ୍ୟ କରି,

‘‘ଜାଣ କି ଏମାନେ ଆସିଛନ୍ତି କାହୁଁ ?’’

‘‘ନ ଜାଣୁଁ ହେ ତୁମ୍ଭପରି ।’’

କହିଲେ ବେନିଏ, ବାଟ ଚାଲୁଁ ଚାଲୁଁ

ବିଚାରିଲେ ସଖାତ୍ରୟ-

ଜାଣିବା ନିଶ୍ଚୟ କେଉଁ କଉଶଳେ

ଏହାଙ୍କର ପରିଚୟ ।

କହଇ ବସନ୍ତ, ‘‘ପାରିଧି କରି କେ

ନୃପ ଆସିଥିବେ କାହୁଁ,

ଆସିଥିବେ ଜେମା ଗହଣେ, ସତ୍ୟ କି

ସତେ ଭୋଳ ଚାହୁଁ ଚାହୁଁ ?’’

ଲାଜେ ସତ୍ୟବାନ କହେ ମଥା ପୋତି,

‘‘ରଖ ସଖା ରଙ୍ଗରସ,

କେଜାଣି କିପାଇଁ ଅତର୍କିତେ ଆଜି

ମନ ମୋ ହୋଇଛି ବଶ ।

କି କୁକ୍ଷଣେ ଆଜି ଘରୁ ବାହାରିଲି

ସହସା ଏ କି କୁମତି,

ଦୃଢ଼ତା ମୋହର ନାହିଁ ତଳେ, କ୍ଷୋଭେ

ହୃଦୟ ହୁଏ କରତି ।

ମୋ ନେତ୍ର ଅଗ୍ରତେ ବିସ୍ତାରେ କେ ଆଜି

ଦିବ୍ୟ ଇନ୍ଦ୍ରଜାଲ ମାୟା,

ପ୍ରତି ପଦକ୍ଷେପେ ଚମକେ ମୋ ପ୍ରାଣ,

ଡରେଁ ମୁଁ ଦେଖି ମୋ ଛାୟା ।

କିଏସେ ସେ ନାରୀ ମନେ ନ ବିଚାରି

ରହି ତାପସଙ୍କ ମେଳେ

କଲି କି ଅଧର୍ମ !’’ ସଖା କହେ, ‘‘କାକ-

ନୀଡ଼େ ପିକ ଧର୍ମ ହେଳେ ?

ତୁମ୍ଭେ ରାଜପୁତ ରାଜନନ୍ଦିନୀର

ପାଣିଗ୍ରହ-ଯୋଗ୍ୟ ବର,

ତୁମ୍ଭପରି ରାଜ- ଯୁବାବ୍ରଜେ କିଏ

ଅଛି ଜ୍ଞାନୀ ବୀରବର ?’’

‘‘ବୃଥା ସେ ପ୍ରଶଂସା, ଜାଣ ତୁମ୍ଭ ସଖା

ଗୁଣେ କେ ହୋଇବେ ବାଇ ?

ରାଜ୍ୟହୀନ ପିତା ବନବାସୀ, ମୋର

ରାଜଗଉରବେ କାହିଁ ?

କି ଅଛି କପାଳେ ଜଣାନାହିଁ ଭାଇ,

କିମ୍ପା ଏ କୁଟିଳ ଆଶା,

କୂପ କେ ଖୋଜନ୍ତା ମରୀଚିକା ଜଳେ

ଶମନ୍ତା ଯଦି ପିପାସା ?

ରମଣୀ ରସନ୍ତି ହୀରା, ମଣି, ସୁନା,

କେ ରସିବ ଲୁହା ଖଣ୍ଡେ,

ଚୂତ ତରୁ ଥାଉଁ କହ କି କାରଣେ

ପୂଜିବ କେହୁ ଏରଣ୍ଡେ ?’’

କହଇ ସୁରଥ, ‘‘କେତକୀ କାନନେ

କିପାଁ ବୁଲୁଥାଏ ଅଳି ?

ସୁବାସ ଥିଲାକୁ, ମାତ୍ର ମଧୁଲୋଭୀ

କଣ୍ଟାରେ ନ ପାରେ ଗଳି ।’’

‘‘ଉଚିତ ଉପମା ନୋହିଛି’’ ବସନ୍ତ

କହିଲା ପ୍ରତିବଚନେ,

‘‘କେତକୀ-ସୁବାସ ଆସବ ବିହୁନେ

ଭ୍ରମର ନଯାଏ ଭ୍ରମେ ।

ରଙ୍ଗ ଟହ ଟହ ପଳାଶ କୁସୁମ

କହ କେ ଆଦରେ ଭାଇ,

ପତର କୋଣରେ ଫୁଟନ୍ତା କାମିନୀ

ବଳୀଏ ତୋଳନ୍ତି ଧାଇଁ ।

ବାହାର ଝଳିରେ ଭୁଲେ କି ମନସ୍ୱୀ,

ନରୁଁ ବଳି ନାରୀବୁଦ୍ଧି,

ହୀରା ଛାଡ଼ି କାଚ କରେ କେ ପସରା,

ଗୁଣ ଛାଡ଼ି ଭଜେ ରଦ୍ଧି ?’’

‘‘ସ୍ୱପନେ ଅଥବା ସୁରଲୋକେ ଭାଇ

ଅଛି ପ୍ରକୃତ ଆଦର,

କୃତ୍ରିମ ମୋହରେ ମହୀ ବିମୋହିତ,

ସୁନାକୁ ବଳେ ପିତ୍ତଳ ।

ମାଣିକ୍ୟ ଆସନେ ବସେ କଟା କାଚ,

ରୂପାକୁ ହରାଏ ରସ,

ଅନ୍ତର କପଟ ଚାତୁରୀ ଘୋଡ଼ାଏ

ମୁଖର ଶୁଖିଲା ହସ ।’’

‘‘ନାରୀ ମାୟାବିନୀ ନାରୀ କୁହୁକିନୀ

ବିଶ୍ୱାସଘାତିନୀ ଅତି

କହିଛନ୍ତି ପରା ଋଷି ପରମ୍ପରା,

ଭ୍ରମେ ନ ଯାଅ ତା’ କତି ।’’

‘‘ତଥାପି ହେ ଭାଇ, ନାରୀ ଇଷ୍ଟଦେବୀ,

ଗୃହଲକ୍ଷ୍ମୀ, ଧନସାର,

ତୁମ୍ଭ ଭାଗ୍ୟେ ତାହା ଘଟନ୍ତା କି ସଖୀ

ରାଜ୍ୟ ଧନ ତ ଅସାର ।

ମୋତିମାଳ ଫିଙ୍ଗି ଗୁଞ୍ଜାକୁ ଆଦରେ

ଶବରୁଣୀ ଯେଉଁପରି

ସେପରି ଦୁଃଶୀଳା ହୀନମତି ଜାୟା

ଲଭିଲେ ତ ଯିବ ସରି !

ଇକ୍ଷୁରସଜାତ ମଧୁର ଶର୍କରା

ରସନା-ଆନନ୍ଦକର,

ପଚି ସେ ଉପୁଜେ ତୀବ୍ର ସୁରାସାର,

ଏ ସୁଧା, ସେ ହଳାହଳ ।’’

କହଇ ସୁରଥ, ‘‘ରଖ ଯୁକ୍ତିତର୍କ,

ମୁଁ ମନେ ରଖିଛି ଗଚ୍ଛି,

ସତ୍ୟବାନ ସରି ବରବାଳା ଏକା

ଇନ୍ଦ୍ରଙ୍କୁ ଯେସନେ ଶଚୀ ।

ସତ୍ୟ କରି କହ ସତ୍ୟ, ବେନିଜନେ

ନ ଭୁଲିବ ଆମ୍ଭ ସଙ୍ଗ,

ପ୍ରଜାପତି ତୁମ୍ଭ ସମ୍ୱନ୍ଧ ବାନ୍ଧିଛି

ନୁହେଁ ଏ ତ କଥାରଙ୍ଗ ।’’

‘‘କି କହ ସୁରଥ ଅତି ଅସମ୍ଭବ’’

କହେ ସତ୍ୟବାନ ଲାଜେ,

‘‘ଯାହାକୁ ତାହାକୁ ଘେନି ରଙ୍ଗରସ

ଏ ପରା ତୁମ୍ଭଙ୍କୁ ସାଜେ ।’’

‘‘ଗଳ୍ପ ଶୁଣ’’ କହେ ସୁରଥ ଆଦରେ,

‘‘ସପତ ବରଷ ବେଳେ

ଯାଇଥିଲି ଏକ ନୃପତି ସଭାକୁ

ବହୁ ମୁନିଋଷି ମେଳେ ।

କରିଥିଲେ ରାଜା ମହା ମହୋତ୍ସବ

ଜେମାମଣି ଜନ୍ମଲାଗି,

ଭୁଲି ପାରିନାହିଁ ସେଦିନ କଥା ହେ

ରହିଛି ମୋ ମନେ ଜାଗି ।

ଏତେ ଦାନ ଧ୍ୟାନ ଦେଖିନାହିଁ କାହିଁ

ଏତେ ସାଧୁସମାଗମ,

ଭଜନ କୀର୍ତ୍ତନ ବିଭୁ ନାମ ଗାନ

ଏତେ ଦାନ ବିତରଣ ।

ପୂର୍ବତନ ଆମ୍ଭ ଆଶ୍ରମକରତା

କପିଧ୍ୱଜ ମହାମୁନି,

ବିହିଥିଲେ ନାମ ‘ସାବିତ୍ରୀ’ ଜେମାର

ଦେବୀଙ୍କ ମହିମା ଶୁଣି ।

ଶୁଣିଥିଲି ସଖା, ମଦ୍ରପତି ଜେମା

ସାବିତ୍ରୀ ଅଦ୍ଭୁତ ନାରୀ,

ନାରୀ ନୁହେଁ ସେ ତ ଦେବୀ ବୀଣାପାଣି,

ଅତି ବିଦୁଷୀ କୁମାରୀ ।

ଦେଶଦେଶାନ୍ତରେ ସଞ୍ଚରେ ତା’ ଯଶଃ

ତୁମ୍ଭେ ଶୁଣିଥିବ ପରା,

ସାକ୍ଷାତ ଶଙ୍କରୀ, ଓହ୍ଲାଇ ଆସି କି

ମଣିଛନ୍ତି ମଦ୍ରଧରା ।’’

କହିଲା ବସନ୍ତ, ‘‘ହେଲି ତେବେ ହେଲା

ସତ୍ୟଯୋଗ୍ୟ ବନନାରୀ’’

ଲାଜେ ସତ୍ୟବାନ ରୋଷ କହିଲା ସେ

‘‘ଲଜ୍ଜା କି ନାହିଁ କାହାରି ?

ବିବାହ କଥାରେ ଖେଳ କଉତୁକ

ତୁମ୍ଭେ ପରା ମୁନିସୁତ,

ବକ ନେଇ କୁଞ୍ଜେ ଖଞ୍ଜୁଛ କିପାଇଁ,

ହଂସ ଯଦି ଉପଯୁକ୍ତ ।

ବସନ୍ତ, ସୁରଥ ତୁମ୍ଭ ଯୋଗୁଁ ଆଉ

ବରତି ନ ପାରେଁ ଠୁଳେ,

କାହିଁ ସେ ସାବିତ୍ରୀ, କାହିଁ ସତ୍ୟବାନ,

ଅଙ୍ଗାର କି ହୀରା ତୁଲେ ?

ନୋହିଲା କଥାକୁ ହୋଇଲା କରିଣ

କରୁଥିବ ପରିହାସ,

ମଦ୍ରରାଜ ଜେମା ଆସିବ ମୋ ସଙ୍ଗେ

କରିବାକୁ ବନବାସ ?

ଥାଉଁ ଅଙ୍ଗ, ବଙ୍ଗ, କଳିଙ୍ଗ, ତୈଲଙ୍ଗ,

ଚେଦି, ଭୋଜରାଜ୍ୟପତି,

ବିରାଟ, ବିଦେହ, ପାଞ୍ଚାଳ, କୋଶଳ,

କର୍ଣ୍ଣାଟ, କାଞ୍ଚି ନୃପତି,

ମହା ମହାରାଜ ଜେମାମଣି ତୁଲେ

ବରିବେ ବନବାସୀକି,

କିପାଁ ପରିହାସ କର ନ ଜାଣି ମୋ

ମନ ଜନେ ଧିକି ଧିକି ।

ନୃପସୁତ କେହି ନୋହିଲେ ସାହସୀ

ଧରିବାକୁ ଯାହା କର,

ଶୁଣି ନ ଥିଲେ କି କହୁଥିଲେ ଦିନେ

ମୁନିବର ଶ୍ୱେତାମ୍ୱର ।

ତୀର୍ଥ ପର୍ଯ୍ୟଟନୁଁ ଫେରି ସେ ଆସନ୍ତେ

ପଚାରନ୍ତେ ପିତା ମମ,

ନାନା ଜନପଦ ସନ୍ଦେଶ କହିଣ-

ଥିଲେ ସେ ମୁନିସତ୍ତମ ।

ସ୍ୱୟଂବର ସଭା ଭଗ୍ନ କିବା କ୍ଷୋଭେ

ରାଜା ଅଶ୍ୱପତିଙ୍କର,

ନିମନ୍ତ୍ରଣେ କେହି ନ ଆସିଲେ ନୃପ

‘ଅଯୋଗ୍ୟ’ ବିହି ଉତ୍ତର ।

ଏଥୁଁ ବଳି କଥା ଅଛି କି ହେ ସଖା

କ୍ଷତ୍ରକୁଳେ ଅଭିନବ ।

ଅଭିନବ ଲୋକେ କହନ୍ତି ସାବିତ୍ରୀ,

ଦେବୀଅଂଶୁ ଉଦ୍‍ଭବ ।

ଯଥାର୍ଥ ଯଦି ତା’, ଦେବତା କେହି ତା’

ପତିପଣେ ହେବେ ସରି,

ନୋହିବ ତ ସରି କିଙ୍କରପଣକୁ

ଛଅଗଣ୍ଡା ମୋହ ପରି ।

ମୁଁ ପୁଣି ଦରିଦ୍ର କାନନନିବାସୀ

ହେଲି ତା’ର ଯୋଗ୍ୟ ବର,

ମରୀଚିକା ଜଳ- ଭ୍ରମ ଏ କି ଅବା

ଆକାଶେ ତୋଳିବା ଘର !

ରଙ୍ଗ ଦେଖେ କେତେ, ବୃଥା କଷ୍ଟ ଦିଅ

ରାଜ୍ୟହୀନ ଭାବି ଭାଇ,’’

କହିଲେ ସଖାଏ, ‘‘ଏଡ଼େ ରୋଷ ତବ,

ତା’ ଆମ୍ଭ ମନରେ ନାହିଁ ।

ସତ୍ୟ କଥା ଲାଗି କିପାଁ ପେଟବ୍ୟଥା,

ଚିହ୍ନରା ଚିହ୍ନଇ ମଣି,

ଗୁଣୀ ଚିହ୍ନେ ଗୁଣ, କହୁଁ ସେଥିପାଇଁ

ଗୁଣବତୀ ଜେମାମଣି ।’’

‘‘ତୁମ୍ଭ ଜେମା କଥା ରଖ ତୁମ୍ଭ ଘରେ,

ଜେମାରେ କି କାର୍ଯ୍ୟ ମୋର,

ଭାଷିଲା ବସନ୍ତ, ‘‘ଏବେ ତେବେ କହ

ହୋଇଛ କିମ୍ପାଇ ଚୋର ।

ବନ ଭ୍ରମି ଦେବୀ ଆସି ତା’ର ତୁମ୍ଭ

ଆଖିରୁ ନିସ୍ତାର ନାହିଁ,

ପରିଚୟ ଜାଣି- ପାରିବା କାରଣ

କୌତୂହଳ କାହିଁ ପାଇଁ ?’’

ପରିଚୟେ ଦୋଷ ଅଛି କି ବିଶେଷ,

ମୁଁ ତ ଭାବିନାହିଁ କିଛି ।’’

‘‘ତୁମ୍ଭେ ନ ଭାବିଛ,’’ କହିଲା ବସନ୍ତ,

‘‘ସେ ରାଗସାଗର ବୀଚି ।

ରତ୍ନ ଲାଭ ସିନା ହେବ ପରେ, ଏବେ

ବୁଡ଼ ଆଗେ ସିନ୍ଧୁ ଜଳେ,

ରତ୍ନ କି ଭାସୁଛି ଲହରୀ ପ୍ରବାହେ ?

ରହିଛି ଅତଳ ତଳେ ।

ଶାମୁକା ଫିଟାଇ ମୁକୁତା କାଢ଼ିବ,

ଖଣି ଖୋଳି ସିନା ହୀରା,

ବିନାୟାସେ ସିନ୍ଧି କାହିଁ, କାଢ଼ୁଥିଲେ

କଥାରେ ଜୀରାରୁ ଶିରା ।’’

ସମାପି ବଚନ ଧାଇଁଲେ ବେନିଏ,

ମିଳିଲେ ସାବିତ୍ରୀ ପାଶେ,

ଖୋଜେ ଯାହା ମଳୁ କହେ କି ବଇଦ

ମଳୁର ଅରୁଚି ନାଶେ ।

ମଞ୍ଜୁଆତି ତରୁ ମଞ୍ଜୁ ଫୁଲପୁଞ୍ଜେ

ଜେମା ହେଉଁ ଅଭିଳାଷୀ

ଡାଳ ନୁଆଁଇଣ ଛିଣ୍ଡାଉଣଥିଲେ

ତାଙ୍କ ସହଚରୀ ଦାସୀ ।

କମ୍ପେ କଳେବର ଭାବାବେଶେ, ଲାଜେ

ମନ ଆନନ୍ଦେ ଅଧୀର,

ଭାବୀ ଭାବନାରେ ମିଶି କଳପନା

ସୃଜେ କି ଚିତ୍ର ରୁଚିର !

ନ ଚଳୁଁ ଚରଣ ବାଜିଲା ଶ୍ରବଣେ

କାହାର ଚରଣଧ୍ୱନି,

ପଛକୁ ଅନାଇ ବେନି ମୁନିସୁତେ

ଆସିବା ଦେଖିଲା ଧନୀ ।

ଛାତିରେ ଛନକା ପଶିଗଲାପରା,

ଚମକିପଡ଼ିଲା ଚାହିଁ,

ଖସିଗଲା ସତେ ନୟନରୁ ତାରା,

ଦେହଯାକ ଝାଇଁ ଝାଇଁ ।

ପଲକେ ସମ୍ଭାଳି- ନେଲା ଭାବାବେଗ

ନ ଦେଖୁଣୁ ଆନ ଆଖି,

ଫୁଲ ତୋଳିବାରେ ହେଲା ତତପର

ଫୁଲ୍ଲମୁଖେ କମଳାକ୍ଷୀ ।

ଆସିଣ ଅଗ୍ରତେ ଛିଡ଼ା ହେଲେ ଧୀରେ

ବସନ୍ତ, ସୁରଥ ବେନି,

ହେଲେ ଆସି ଉଭା ହରି ହର କିବା

ତୀରା ମିଥୁନ ଏ ବେନି ।

ସମ୍ଭ୍ରମେ ସୁଶୀଳ ବିହି ନମସ୍କାର

ଭାଷନ୍ତି ବିନମ୍ର ସ୍ୱରେ,

‘‘ଆଶ୍ରମବାସୀଏ ନ ଫେରାନ୍ତି ଦେବୀ,

ଅତିଥିଙ୍କୁ ଅନାଦରେ ।

ଦେବୀ ବା ମାନବୀ ହୁଅନ୍ତୁ, ଆମ୍ଭର

ଆଶ୍ରମ ଦୁଆର ମେଲା,

ପୂତ ପଦଧୂଳି ଅର୍ପଣ ପ୍ରସାଦେ

ନ କରିବେ କେଭେଁ ହେଳା ।

କଥାଟିଏ ମାତ୍ର ନିବେଦନ ଲାଗି

ଉଦ୍‍ବିଗ୍ନ ଆମ୍ଭ ମନ,

ଦେବୀ କି ମାନବୀ କେ ହେବେ ଆପଣ

ପବିତ୍ରିଲେ ତପୋବନ ?’’

ଜେମାମୁଖ ଚାହିଁ ଭାଷେ ଜେମାସଖୀ

‘‘ମଦ୍ର ମହୀପତି ସୁତା,

ମହୀମଣ୍ଡନା ଏ ସାବିତ୍ରୀ, ସୁଶୀଳା

ମହତ ସଦ୍‌ଗୁଣଯୁତା ।’’

ଚାହିଁଲା ବସନ୍ତ ଚାହିଁଲା ସୁରଥ,

କ୍ଷଣେ ଭଜି ମହାସ୍ତମ୍ଭ,

ସାବିତ୍ରୀ, ସାବିତ୍ରୀ- ଦେବୀଙ୍କ ସନ୍ତତି

ଅଗ୍ରେ ଉଭା, ଅସମ୍ଭବ !

କ୍ଷଣେ ନେଲେ କଳି ଅପୂର୍ବ ଲାବଣ୍ୟ

ଦେବୀତେଜ ଜିଣି ଜ୍ୟୋତି,

ସତ୍ୟଚିତ୍ତ କିପାଁ ଭଜଇ ବିକାର

ନିରେଖି ଏ ମହାଦ୍ୟୁତି ।

ନୁହେଁ ତା’ ଯୌବନ- ସୌନ୍ଦର୍ଯ୍ୟ ମହିମା

ନେତ୍ରସ୍ମିତ ବୀଚିଭଙ୍ଗ,

ଶତ ସୂର୍ଯ୍ୟ-ଶଶି- ପ୍ରଭା ରାଶିରାଶି

ସ୍ଫୁରେ ବାମା ଦିବ୍ୟ ଅଙ୍ଗ ।

ଗଭୀର ସାଗର- ନୀଳିମ ଲହରୀ

କି ଭାବସୁଷମାଭରା,

ଶତ ସ୍ନେହରତ୍ନ ପ୍ରଚ୍ଛନ୍ନ ଲୋଚନ

କଟାକ୍ଷେ ଜିଣିବ ଧରା ।

ଯୁକ୍ତ କରପୁଟେ ପ୍ରଣମି ସୁରଥ

ବସନ୍ତ ସଙ୍ଗତେ ଭାଷେ,

‘‘ଦେବୀ, ତବ ପୂତ ଚରଣ ଦର୍ଶନେ

ଧନ୍ୟ ଆଜି ମହୋଲ୍ଲାସେ !

କୃତାର୍ଥେ ଆମ୍ଭେ ଗୋ ଯେଣୁ ଆମ୍ଭ ସଖା

କୌତୂହଳୀ ସତ୍ୟବାନ

ଦେବୀ ପରିଚୟ ପ୍ରାପ୍ତି ପ୍ରତ୍ୟାଶାରେ

ପ୍ରେରିଲେ ଆମ୍ଭଙ୍କୁ ଜାଣ ।

ଶାଲ୍ୱ ନରପତି ଋଷି ଦ୍ୟୁମତ୍‌ସେନ

ମହିଷୀ ମହିମାବତୀ,

ସୁତ ସତ୍ୟବାନ ଘେନି ବନାଶ୍ରମେ

ରହିଛନ୍ତି ମହାମତୀ,

ସ୍ୱଭାବେ ପ୍ରଶାନ୍ତ ଉଦାର ଅନ୍ତର

ମହାତେଜା, ଅରିତ୍ରାସୀ,

ହରାଇ କୁକ୍ଷେଣେ ସେବକ କୁଚକ୍ରେ

ରାଜ୍ୟ, ଆଜି ବନବାସୀ ।

ଅନ୍ଧ ମହାରାଜା ବେନୀ ନେତ୍ର ଦେବୀ,

ଏଡ଼େ କଷଣ ତାଙ୍କର,

ବିଭୁ ଧ୍ରୁବ ପଦୁଁ ଭକତି ବିଶ୍ୱାସ

ଠୁଳ ନ ହେଲା ଅନ୍ତର ।

‘ଦୟାମୟ ହରି ହରିନେଲେ ରାଜ୍ୟ

ସୁଖ, ନେତ୍ର, ପବିତ୍ରିଣ,

ଚିତ୍ତ କଳୁଷିତ, ଉଜ୍ଜ୍ୱଳି ଅନ୍ତର-

ଅନ୍ଧାର ମହାମହିମ ।’

ସଦା ଏହିପରି ଆନନ୍ଦ ବଚନ,

ରାଜା ତ ନୁହନ୍ତି, ଋଷି,

ମହିଷୀ ତାଙ୍କର ଦେବୀ ମାଳବିକା

ଧରମ ଶାସ୍ତ୍ରେ ବିଦୁଷୀ ।

ସତୀ ଶିରୋମଣି ପତି ସାର ମଣି

ନ ସୁମରି ପିତୃଗୃହ-

ସୁଖ ସମ୍ପତ୍ତିକି, ପତି ବିପତ୍ତିକି

ବରିଲେ ନ ଢାଳି ଲୁହ ।

ସୁତ ସତ୍ୟବାନ ତେଜେ ଅପ୍ରତିମ

ସତ୍ୟନିଷ୍ଠ, ଧର୍ମମତି,

ସତ୍ୟେ ଆସ୍ଥା ଜାଣି ରଖିଲେ ଏ ନାମ

ଚିତ୍ରରଥ ମହାଯତି ।

ସ୍ୱଭାବେ ସୁଶୀଳ, ନିର୍ମଳ ଚରିତ୍ର

କ୍ଷାତ୍ର ତେଜେ ପୁରନ୍ଦର,

ଜନକ ଜନନୀ ଚରଣକମଳ

ନିତ୍ୟ ସେବା ତତପର ।

ଅଶେଷ ସଦ୍‌ଗୁଣ ସମ୍ପନ୍ନ ମନୀଷୀ

ସର୍ବବିଦ୍ୟାବିଶାରଦ,

ଅମୃତାଂଶୁ ଅଙ୍ଗେ କଳଙ୍କ ପରାଏ

ଏକା ସେ ହୀନସମ୍ପଦ

ବନଦେବୀ ଭାବି ବନ୍ଦିବା କାରଣ

ହେଲେ ଅବା ଅଭିଳାଷୀ,

କଳେ ବହି ଦୟା ଧୃଷ୍ଟତା ମାର୍ଜନ

ହେବୁଁ ହେ ପରମୋଲ୍ଲାସୀ ।’’

‘‘ନମସ୍କାର ମୋର ଜଣାଅ’’ କହିଲେ

ବିନମ୍ରେ ରମଣୀମଣି,

‘‘ତୁମ୍ଭ ବନ୍ଧୁ ପାଦ- ପଦ୍ମତଳେ, ଯେଣୁ

ସେ ସର୍ବ ସଦ୍‌ଗୁଣ ଖଣି ।

ରାଜା ତ ପୂଜିତ ସ୍ୱଦେଶେ ପଣ୍ଡିତ

ପୂଜିତ ସକଳ ଦେଶେ,

ଉଚିତ ଆମ୍ଭର ଶ୍ରୀପଦବନ୍ଦନା,

ଜାଣ ତୁମ୍ଭେ ସବିଶେଷେ ।

ହେ ମୁନିନନ୍ଦନ, ଜଗତବନ୍ଦନ

ତୁମ୍ଭେ ଯେଣୁ ବ୍ରହ୍ମଚାରୀ,

ନ ଭୁଲିବେ ଯେହ୍ନେ ତୁମ୍ଭ ସଖା ମଣି

ଆମ୍ଭକୁ ସାମାନ୍ୟ ନାରୀ ।

ତୁଚ୍ଛ ରାଜ୍ୟ ଧନ ଚରିତ୍ର ତୁଳନେ,

ସଖା ତବ ପୁଣ୍ୟବାନ,

ପ୍ରଭାତେ ସ୍ମରଣ କରୁଥିବୁଁ ଆମ୍ଭେ

ପବିତ୍ର ମହତ ନାମ ।’’

ନୀରବିଲେ ଜେମା ଫେରିଲେ ତାପସ

ସଖା ତ୍ରୟ ଗଲେ ଘର,

ଆକୁଳ ହୃଦୟ- ଭାର ବହି କ୍ଷଣେ

ଗତି ହତ ଚରଣର ।

ଅଦୃଶ୍ୟ ହୁଅନ୍ତେ ଆଶା-ଚକ୍ରବାଳେ

ଦିନାନ୍ତ ତପନ ଯଥା,

ଫେରିଲେ ସାବିତ୍ରୀ ଶିବିକା ଉଦ୍ଦେଶ୍ୟେ

ମନେ ବହି ପ୍ରେମ ବ୍ୟଥା !

☆☆☆

 

ଚତୁର୍ଥ ସର୍ଗ

 

ନୀରବ ନିଶ୍ଚଳ ଦିବା ଦ୍ୱିପ୍ରହର

ରୌଦ୍ର ହେଲା ଖରତର,

ପତ୍ର ଅନ୍ତରାଳେ ନୀରବ ପତତ୍ରୀ,

ଶୁଭେ ମାତ୍ର ବାତ ସ୍ୱର,

ଏହି କାଳେ ତରୁ ତଳେ

ବସନ୍ତ ସୁରଥ ସହ ସତ୍ୟବାନ

ଶଯ୍ୟା ରଚି ଦୂର୍ବାଦଳେ

ଭାବନ୍ତି ସେ କେତେ କଥା,

ରହି ରହି ତହିଁ ଉଛୁଳି ପଡ଼େ କି

ଅନ୍ତର ଅବ୍ୟକ୍ତ ବ୍ୟଥା !

ସୁବିସ୍ତାର ବଟ- ବିଟପୀ ଛାୟାରେ

ଶାୟିତ ସୁରଭିକୁଳ

ଚରା ଛାଡ଼ି ମୃଗୀ ଶାବକ ସହିତେ

ଆଶ୍ରିଛନ୍ତି ଦ୍ରୁମ ମୂଳ,

ଚମ୍ପା ଚୂତ ବେନି ଯହିଁ

ଭୂଜ ଛନ୍ଦାଛନ୍ଦି ଡାଳ ବନ୍ଧାବନ୍ଧି

ଫୁଲେ ପଡ଼ିଛନ୍ତି ନଇଁ,

ନବୀନ ମୁକୁଳ ମାଳେ,

ଆଲିଙ୍ଗନ ଛଳେ ଚାହାନ୍ତି ବେନିଏ;

ନିରେଖି ସତ୍ୟ କି ଭାଳେ ?

ବେନି ମନ ରସି ପିକ ସୁରସିକ

ହେଲେ ତହି ପଞ୍ଚ ସ୍ୱର,

ଆକୁଳେ ଦକ୍ଷିଣା ପବନ ପରଶେ

ଚମ୍ପା କି ବଢ଼ାଏ କର !

ଚମ୍ପା ଚହଟ ସୁଷମା

ଦେଖିଥିଲା ଆଖି ରହିଥିଲା ଲାଖି

ବୁଡ଼ି ତ ଥିଲା ଚେତନା;

ଶୁଭ ପ୍ରଭାତେ ନବୀନା

କାହିଁ ହଜିଗଲା, କାହିଁ ଲୁଚିଗଲା

କିପାଁ କରିଗଲା ଦୀନା

କୋକିଳର କୁହୁ ପ୍ରାଣେ ବାଜି ତା’ର

ଉଲ୍ଲସି ଉଠଇ ଶ୍ରୁତି,

ଛାତି ଚମକଇ ରକ୍ତ ଥମକଇ

ଲହସି ପଡ଼ଇ ଧୃତି ।

ଏ ତ ଅଧୀର ଅଶାନ୍ତ ଯୌବନ

ତାପସ ସଂଯମେ ଋଷିର ଆଶ୍ରମେ

କରିଛି ସିନା ଶାସନ

ତଥାପି ମନ କି ମାନେ ?

ରହି ରହି ତା’ର ରୂପ-ରାଜୀବଟି

ଫୁଟି ତ ଉଠୁଛି ପ୍ରାଣେ ।

ଫୁଲେ ଫୁଲେ ଆଜି ଝରେ ନବ ଶୋଭା

ନବ ଶ୍ୟାମ ଶଷ୍ପଦଳେ,

କାହାକୁ ନିରେଖେ ଆକୁଳ ପରାଣେ

ନୀଳ ନଭେ, ଜଳେ, ସ୍ଥଳେ;

କିଏ ତା’ର ଗଳା ହାର ?

ମନୋମରୁ ଶୀତ ମନ୍ଦାକିନୀ ଧାରା

ମରତ ମାଧୁରି ସାର ।

କିପାଁ କରିଗଲା ପର

ଧାରକରା ଛୁରି ଗଳାରେ ଦେଇ ସେ

ଚାଲିଗଲା ନିଜ ଘର ।

କାହାକୁ କହିବ ଏ ବ୍ୟଥା ତରୁଣ

ସାଥୀ ବେନି ମିତ୍ର ବିନା,

କ୍ଷତ ଗଭୀରତା ନ ବୁଝି ସେହି ତ

ପରାସେ ହସିବେ ସିନା

ସାବିତ୍ରୀ କିଏ ସେ ତା’ର ?

କାହା ପାଇଁ ସେହି ମଉନେ ଝୁରଇ

ଗୋପନେ ଲୋତକ ଧାର

ବହଇ ନୟନୁ ନିତି ?

ଉଷ୍ଣ ହୃଦଶ୍ୱାସେ ଶ୍ୱାସ ମିଶାନ୍ତି କି

ଫୁଲଝରା ତରୁବୀଥି ।

କେ କାହାର ଭାବେ କେ ଜାଣଇ ଲବେ

ତଥାପି ତା’ ବିନା ମନ,

ସରଗ ସମ୍ପଦ ଏଡ଼ିପାରେ ହେଳେ

ତା’ ବିନା ଶୂନ୍ୟ ଭୁବନ;

(ତା’) ପାଦ ପରଶ କୋମଳ

ଛାଡ଼ି କରତିଲା, ରକ୍ତ ତରପଣେ

ମରଇ ପଳକୁ ପଳ ।

ବନବାସୀ ରାଜକୁମର

ନାମ ଜପାମାଳି ସାର ସିନା ଲାଭ

ଆଶା ମାତ୍ର ବାତୁଳର ।

କି ଥିଲା କି ହେଲା ଏହି କେତେଦିନ

ସତ୍ୟବାନ ଜ୍ଞାନୀ ଧୀର

ଛି ଛି ! ଛାର ପ୍ରାଣ, ଛାର ବିଦ୍ୟା ବୁଦ୍ଧି

ନୁଆଁଇଲା ଯାହା ଶିର;

ସାମାନ୍ୟ ବାଳା ଚରଣେ,

ଏ ଦୁଃଖ କିପରି ଘୁଞ୍ଚିବରେ କହ

ପାପିଷ୍ଠ ବିନା ତୋ ମରଣେ !

କାହିଁ ତୋର ସୁଖ ଶାନ୍ତି

ଗାୟତ୍ରୀ ଜପିଲା ଭଳି ସାବିତ୍ରୀକୁ

ଜପୁ ନିତି ଏ କି ଭ୍ରାନ୍ତି !

ସତେ ସେ ତୋହରି ପାଇଁ ଝୁରିମରେ

ଶତ ରାଜସୁତ ଥାଉଁ,

ନ ହେଲା କଥାକୁ କୋଟିନିଧି କରି

ବୃଥା ଆକାଶେ ଅନାଉ ।

ଆକାଶ କୁସୁମ ମାଳାରେ

ବରଣ କରିଛୁ କି ସେ ରୂପସୀକୁ

ମରିବୁ ତା’ ବିଷ ଜ୍ୱାଳାରେ;

ଆହା ସେ ପବିତ୍ର ସୁନ୍ଦର

ସାକ୍ଷାତ ଶଙ୍କରୀ, ଦେବୀ କ୍ଷେମଙ୍କରୀ

କରୁଣାନିଳୟ ଶ୍ରୀକର ।

ଚିର ବ୍ରହ୍ମଚାରୀ ରହିବ କି ସତ୍ୟ

ତା’ ଶୁଭ୍ର ସୁଷମା ଧ୍ୟାନେ,

ଚିର ଯୋଗୀ ହୋଇ ବୁଲିବ କି ବନେ

ନିତି ନାମ ସ୍ତବ ଗାନେ ?

ଲାଜେ ମରୁଛି ମରମେ,

କାହା ଆଗେ ବ୍ୟଥା କହିବ ସରାଗେ

ଜିହ୍ୱା ଜଡ଼ିତ ସରମେ,

ପୁଣି, ନ କହିଲେ ଫାଟେ ଛାତି

ପର ପାଦେ ପ୍ରାଣ ଅରପଣ ହେତୁ

ଏ କି ଅହେତୁକ ଶାସ୍ତି ?

ସତୀ ସିନା ପତି ପାଦପଦ୍ମ ଧ୍ୟାୟେ

ସତୀରୁ ବଳିଛି ସତ୍ୟ,

ନାମେ କର୍ମେ ଏକ ଧର୍ମ ରଖି ଟେକ

ମନରେ ଧରିଛି ତଥ୍ୟ;

ପ୍ରେମେ ସମ ନର ନାରୀ

ଥରେ ଯାରେ ଗଳା- ମାଳା ମଣି ସୁଖେ

ଘେନିଅଛି ବନଚାରୀ ।

ହେବ ତା’ ପାଇଁ ବୈରାଗୀ

ତଥାପି ତାହାର ସ୍ମୃତି ଫିଙ୍ଗିବାର

ହେଲେ ନ ପାରିବ ତ୍ୟାଗୀ ।

ବଚନ ସାଧୁର ନ ଟଳଇ ଚିର

ପଶ୍ଚିମେ ଉଇଁଲେ ରବି,

ଥରେ ହୃଦ-ସରେ ଫୁଟିଛି ରାଗରେ

ଯାହାର ରାଜୀବ ଛବି;

ରୁଚିର ସେ ବରରୁଚି,

ବରବରଣୀକି ନ ପାଇଲେ ନିକି

ମନୁ କି ଯିବ ତା’ ଘୁଞ୍ଚି !

ହୀରାରେ କଟିଛି କାଚ

ଗାର ତା’ ଅମର ନୁହେଁ ଲିଭିବାର

ଅଯୋଗ୍ୟତା ପଛେ ବାଛ ।

ନୁହେଁ ସରି ସିନା ସଂସାର ସଂପଦେ

ପ୍ରେମିକ ପଦେ କି ଊଣା,

ଚନ୍ଦନ ସୁବାସ ନାହିଁ ବୋଲି କାହିଁ

ଲୋକେ କି ଫିଙ୍ଗନ୍ତି ଝୁଣା !

କୋକିଳୁଁ ବଳେ ତ ସାରୀ

ବନେ ବନେ ବୁଲି ଗୀତ ସେ ଗାଇବ

ମନ ଦୁଃଖ ମନେ ମାରି ।

ଚିର ଜୀବନ-ଯାମିନୀ

ନ ହେଉ ପ୍ରଭାତ ନ ଉଦୁଁ ତପନ

ନ ଫୁଟୁ ଫୁଲ କାମିନୀ ।

ନାରୀର ଏକା କି ଲୋଡ଼ା ସତୀଧର୍ମ

ପୁରୁଷ କି ସ୍ୱେଚ୍ଛାଚାରୀ !

ଥରେ ହୃଦ ଯଦି ଫିଙ୍ଗି ଦେଇଛି ସେ

ଆଉ ନୁହଇ କାହାରି ।

ଜପିବ ଜୀବନ ସାରା,

ଚିର ନିଦାଘେ ସେ ଜଳିପୋଡ଼ି ମରୁ

ନ ବରଷୁ ପ୍ରେମ ଧାରା;

ନ ଫୁଟୁ ଜୀବନ ଫୁଲ

ପତର କୋଣରେ ମରିବ ମଉଳି

ନ ଗାଆନ୍ତୁ ଅଳିକୁଳ ।

ତାହାରି ନାମରେ ବୀଣା ସେ ବାଇବ

ନ ଶୁଣୁ ପଛେ ତା’ କାନ,

ତାହାରି ସ୍ୱରୂପ ମାନସେ ଧ୍ୟାଇବ

ନ ବୁଝୁ ପଛେ ତା’ ପ୍ରାଣ ।

ନ ପଡ଼ୁ ତାହାର ଆଖି,

ହୃଦ କଟା କ୍ଷତେ ନିତ୍ୟ ରହୁଥାଉ

ନୈରାଶ୍ୟ ଲବଣ ଲାଖି;

ସେ ପରା ଭାରତ ସୁତ

କଥା କର୍ମ ଯାର ସତ୍ୟର ଆଧାର

ଧରମ ଆଦର୍ଶପୂତ ।

ନିଜର ବୀରତ୍ୱେ ନିଜେ ବୀର ସେହି

ଧୀର ଶାନ୍ତ ସ୍ନେହମୟ,

ସାନ ଶିଶୁ କାଳୁଁ ସଂଯମ ସାଧନା

ଶିଖିଛି କାମନା ଜୟ ।

ଆକୁଳ ଉନ୍ମତ୍ତ ଚିତ୍ତେ

ଯଶୋମାନ ତେଜି ନ ଯିବ ସେ ଖୋଜି

କର୍ମେ ନ ଲଭିବା ବିତ୍ତେ ।

ସାଧନାରେ ସର୍ବ ସିଦ୍ଧି

ଆତ୍ମଜୟୀ ଶୂର ଦେବତା ବୋଲାଏ

ଚିର ପୁରାଣ ପ୍ରସିଦ୍ଧି ।

ଧ୍ରୁବତାରା ଚାହିଁ ଆକୁଳ ଅର୍ଣ୍ଣବେ

କର୍ଣ୍ଣ ଧରେ ତରଣୀର,

ତରଙ୍ଗ ତାଡ଼ିତ ମନେ ନୋହି ଭୀତ

ଯେସନେ ନାବିକ ଧୀର

ପ୍ରେମ ଧ୍ରୁବତାରା ଚାହିଁ

ତେସନେ ତାହାର ସରିବ ସଂସାର

କ୍ଷୋଭ ତହିଁ କାହିଁପାଇଁ ?

ବୃଥା ନ ଯିବ ଜୀବନ

ଜନକ ଜନନୀ ପଦ ଅରଚନା

ମଣିବ ବ୍ରତ ପରମ ।

ଦିବୁଁ ବଡ଼ ପିତା ପୃଥିବୀଠୁଁ ମାତା,

ଇଷ୍ଟଦେବତା ଯୁଗଳ,

ଆତ୍ମା ପ୍ରାଣ ଢାଳି ସେବିବ ତପସ୍ୱୀ

ପୂତ ପୟର କମଳ ।

ଲଭି ଚତୁବର୍ଗ ଫଳ

ତରିବ ତୁରନ୍ତେ ତ୍ରିତାପ ତାପିତ

ସଂସାର ସିନ୍ଧୁ ଗରଳ ।

କିବା ଛାର ମାଟି ଦେହ

ଚଉଷଠୀ ରୋଗ ଭୋଗ ଯା ମନ୍ଦିର

ତହିଁରେ କିପାଁ ଏ ସ୍ନେହ ?

ଶତ ଶାସ୍ତ୍ର ପାଠେ ବହିଯିବ ଦିନ

ପ୍ରାତଃ ସନ୍ଧ୍ୟା ବେଦଗାନେ,

ଦେବତା ବେଦୀରେ ନଇବେଦ୍ୟ ସମ

ଦୁଃଖ ସେ ଅର୍ପିବ ଧ୍ୟାନେ ।

ଆଚରି ନିଷ୍କାମ ବ୍ରତ,

କରି ଚରଣ ତା’ ଜଗତର ହିତେ

ଲାଗିଥିବ ଅନୁବ୍ରତ ।

କିବା ସୁଖ କିବା ଦୁଃଖ

ଏକ ଧର୍ମେ ଜାଣି ବେନି ବାଣୀ ନିଜ

ମନକୁ କରିବ ମୂକ ।

ଅନନ୍ତ ଆକାଶ ଅନାଇ ଅନାଇ

ଅରୁଣ ନୟନ କୋଣେ,

ଅଶ୍ରୁ ବିନ୍ଦୁଟିଏ ସଞ୍ଚିଥିଲା ତାହା

ପଡ଼ିଗଲା କି କୁକ୍ଷଣେ

ସୁପ୍ତ ସୁରଥ ବକ୍ଷରେ;

ତପତ ଲୋତକ ପରଶି ତାହାର

ନିଦ୍ରା ଭାଙ୍ଗିଲା ସତ୍ୱରେ ।

ଛାଇ ଛାଇ ନିଦ ପରା

ଦିହି ପହରିଆ ମଧୁର ତାତିରେ

ଆଖି ଢୁଳିପଡ଼େ ତ୍ୱରା ।

ଅଳପ ହସିଲା ଚାହିଁ ସତ୍ୟବାନେ

ମର୍ମ୍ମ କଥା ନେଲା ଜାଣି,

କ୍ଷୀର ନୀର ମିଶା ପାଣିରୁ ମରାଳ

କ୍ଷୀର ଯଥା ନିଏ ଛାଣି ।

ରଙ୍ଗ ଲୋଚନ ନିରେଖି

ଛଳି କହିଲା ସେ ଚପଳ ତରୁଣ

ସତ୍ୟର ବ୍ୟଥା ଉପେକ୍ଷି;

ରମଣୀ ପରାୟେ କାନ୍ଦ

କି ଛଳେ ଛଳନା- ମୟୀ ପାତି ଦେଲା

ତୁମ ପଦତଳେ ଫାନ୍ଦ !

କି ଧୀର କି ବୀର କି ତେଜି ତରୁଣ

କେତୋଟି ଦିନରେ ଆହା,

ପ୍ରେମ ପାଗଳଙ୍କ ଭଳି ହତାଶ୍ୱାସେ

କାନ୍ଦି ବୁଲୁଅଛ ରାହା !

ଏ କଥା ତୁମକୁ ସାଜେ

ଅତି ଉଥଳିତ ବ୍ୟଥାରେ ଶେଷକୁ

ସରବଟି ଲୋକ ଲାଜେ

ସାବିତ୍ରୀ କି ମନ୍ତ୍ର ଜାଣେ,

ହୃଦତନ୍ତ୍ରୀ ତବ ବାଜେ ଆଜିକାଲି

କେବଳ ତା’ ସ୍ତୁତି-ଗାନେ ।

ସଖା ଛଳ କଥା ସହି ନ ପାରିଣ

ସତ୍ୟବାନ କହେ ଧୀରେ,

କିପାଁ ଏ ଅଦ୍ଭୁତ ଅପୂର୍ବ କଳ୍ପନା

ପଶିଅଛି ତବ ଶିରେ ?

ନୁହେଁ ମୁଁ ଚଞ୍ଚଳମତି,

ପ୍ରୀତି-ତଟିନୀରେ ବୁଡ଼ି ମରିବାର

ନୁହଇ ମୋ’ ଶେଷ ଗତି ।

ପ୍ରୀତି କି ଜାଣେ ତାପସ ?

ଚିର ବନଚାରୀ ନୁହେଁ ସ୍ୱେଚ୍ଛାଚାରୀ

ନ ଦିଅ ଏ ଅପଯଶ ।

ପୂଜା ମୁଁ କରଇ ତା’ର,

ଦେବୀ ରତନର ଯତନେ ଅର୍ଚ୍ଚନା

ଅଛି ତହିଁ ଅଧିକାର ।

ଥରେ ଯଦି ହୃଦେ ଆଙ୍କିଛି ସେ ରୂପ

ଥରେ ଯଦି ଦେଲି ପ୍ରାଣ,

ଆଉ ଥରେ ତାହା ଫେରାଇ ପାରେ କି

ସତ୍ୟଭାଷୀ ସତ୍ୟବାନ ?

କେତେ ତ ବୁଝାଅ ମୋତେ,

ଆକୁଳ ଅଧୀର ନୁହେଁ କିନ୍ତୁ ଭାଇ

ନ ଭାସଇ ଆଶା-ପୋତେ

କର୍ତ୍ତବ୍ୟଟି ବଡ଼ ମୋର

ଆସୁ ପଛେ ଅମା ଅନ୍ଧାର ଯାମିନୀ

ବହୁପଛେ ଝଞ୍ଜା ଘୋର ।

ପୁରୁଷ-କେଶରୀ ସରି ସିନା ତା’ର

ଧର୍ମ ତେଜ ବଳିଆର,

କଥା ଆନ ଆନ ଯାହାର ସେ ମର୍ତ୍ତ୍ୟେ

ଅତି ହୀନ ଅତି ଛାର ।

ଜାଣିବ ଚିର ମୋ ଧର୍ମ୍ମ,

ସାବିତ୍ରୀ ଧିଆନେ ସତ୍ୟବାନ ତା’ର

କରିବ କର୍ତ୍ତବ୍ୟ କର୍ମ ।

ନ ଶୁଣିବ କେବେ କର୍ଣ୍ଣେ,

ପାଳିନାହିଁ ମୋର ପୁଣ୍ୟ ପ୍ରତିଶ୍ରୁତି

ଚିରଦିନ ବର୍ଣ୍ଣେ ବର୍ଣ୍ଣେ ।

କର ଲେଉଟାଇ ଭାସିଲା ବସନ୍ତ

ନିଦ୍ରା ହୋଇଥିଲା ଦୂର,

ସ୍ୱଭାବେ ସୁରଥ ବିପରୀତ ସେହି

ପ୍ରକୃତି ଅତି ମଧୁର ।

ଧୀରେ ଚିନ୍ତେ ସବୁ କଥା,

ତେଣୁ ମନେମନେ ନେଇଥିଲା କଳି

ସାଥି ସତ୍ୟ ଚିତ୍ତ ବ୍ୟଥା

ଆଦର ମୁନିକୁମାର

ଶାସ୍ତ୍ର ଆଲୋଚନେ ବିଦ୍ୟା ଉପାର୍ଜନେ

ନ ଥିଲା ତା’ ଅହଂକାର ।

ସତ୍ୟ ନାମ ବହି- ନାହିଁ ମିଛେ ସଖା

ସତ୍ୟର ମୁରତି ସେହି,

କଥା କର୍ମେ ପ୍ରେମେ ଧର୍ମେ ଧର୍ମେ ଚିର

ସତ୍ୟ ଅନୁଗତ ସ୍ନେହୀ;

ଦ୍ୟୁମତ୍ସେନ ଯୋଗ୍ୟ ସୁତ

ଆଶ୍ରମେ ଆସିଲା ଦିନୁ ଏ ଆଶ୍ରମ

ହୋଇଅଛି ଶାନ୍ତିପୂତ ।

ଭାଷିଲା ସତ୍ୟ ଉତ୍ତର

ବୃଥା କିପାଁ କର ପ୍ରଂଶସା ମୋହର

ମୁଁ ଅଯୋଗ୍ୟ ସହଚର ।

ଲଭି ତବ ସଙ୍ଗ ଅଙ୍ଗ ମୋ ପବିତ୍ର

ଚିତ୍ତଶୁଦ୍ଧି ହେଲା ଜାଣ,

ଚିତ୍ରାଶ୍ୱ ନାମରୁ ନିସ୍ତାର ଲଭିଲି

ବୋଲାଇଲି ସତ୍ୟବାନ;

ମନେପଡ଼େ ପୂର୍ବକଥା,

ରାଜ୍ୟ ବିତାଡ଼ିତ ହୋଇ ଯେଉଁଦିନ

ଲାଜେ ନୋଇଁଥିଲା ମଥା ।

ସେ ଦିନ ପରମ ସ୍ନେହେ

ବେନି ସାଥି ମୋତେ କର ଆପଣାର

(ଆଜି) ଏକ ଆତ୍ମା ତିନି ଦେହେ ।

‘‘ଜାଣୁ ସବୁ ଭାଇ,’’ ଭାଷିଲା ବସନ୍ତ,

‘‘ଭାଳେ ମୁଁ ଦୃଢ଼ ବିଶ୍ୱାସେ’’

ତୁମରି ଗଳାରେ ବରମାଳା ଦେବ

ସାବିତ୍ରୀ ଶେଷେ ଉଲ୍ଲାସେ ।

କି ଜାଣି କାହିଁକି ମୋର

ସବୁବେଳେ ମନେ ବାଜେ ଘନେ ଘନେ

ସାବିତ୍ରୀର ମନଚୋର,

ହୋଇଛ ନିଶ୍ଚୟ ଭାଇ,

ନୋହିଲେ କିପାଁ ସେ ତବ ମୁଖ ପ୍ରତି

କୁଟିଳେ ଥିଲା ଅନାଇ ।

ମଞ୍ଜୁ ମଞ୍ଚଆତୀ ଫୁଲ ତୋଳୁଥିଲେ

ସଖୀଦଳ ହସି ହସି,

ତୁମକୁ ନିରେଖି ଦୁରୁ କିପାଁ ତା’ର

ବଦନ ଗଲା ଉଲ୍ଲସି !

କହିଥିଲା ଯେଉଁ ବାଣୀ

ମରମ ତାହାର କରିଛି ବାହାର

କେତେ କଥା ମନେ ଆଣି

ମନେ ଅଛି ତ ସୁରଥ ?

ତୁମ୍ଭ ଆଗେ ପରା କହିଥିଲୁ ଆସି

ମନେ ହେଜ ସେହି ତଥ୍ୟ ।

‘‘ନମସ୍କାର ମୋର ଜଣାଅ ତୁମର

ସଖା ପାଦପଦ୍ମ ତଳେ,

ସରବ ସଦ୍‌ଗୁଣ- ଖଣି, ସେ ପଣ୍ଡିତ

ପୂଜିତ ମହୀମଣ୍ଡଳେ ।

ତୁଚ୍ଛ ରାଜ ସିଂହାସନ,

ପ୍ରଭାତେ ସ୍ମରଣ କରୁଥିବୁ ନିତି

ସେ ପରା ସାଧୁ ସୁଜନ ।

ମନେ ରଖିଥିବେ ଚିର’’,

‘‘ଏଥିରେ ଆଉ କି ସନ୍ଦେହ ହେ ସଖା,

ଏ ନୁହେଁ କି ପ୍ରେମଗିର ?’’

ଚପଳାଇ ଚିତ୍ତ ଚପଳା ଲୀଳାର

କ୍ଷଣ ମାଧୁରୀ ବିକାଶ,

ଏତ ନୁହେଁ ଏହା ପରତ କୋଣରେ

କେତକୀ ମଧୁର ବାସ !

ଲାଜ କଣ୍ଟା ଆବରଣ

ଦିନେ ଶ୍ରୀଚରଣେ ହେବ ନିବେଦିତ

ତେଜ ଚିନ୍ତା ଅକାରଣ ।

ଧନହୀନ ଭାବ ଭାଇ

‘‘ଚରିତ୍ର ତୁଳନେ ତୁଚ୍ଛ ଧନ’’ ସେ ତ

କହିଛି ମନରେ ନାହିଁ ।

ଦୀର୍ଘଶ୍ୱାସ ତେଜି କହେ ସତ୍ୟବାନ

‘‘ଗୁଣଧରୀ ବିଦ୍ୟାଧାରୀ’’

କି ଗୁଣେ ଚରଣେ ଏ ଅକିଞ୍ଚନ ହେ,

ସାହସେ ହୋଇବ ସରି !

‘‘ତୁମେ ପରା କ୍ଷତ୍ର-ସୁତ,

କହଇ ସୁରଥ କ୍ଷତ୍ରିୟ ସନ୍ତାନ

ବାକ୍ୟ ଏକ ଉପଯୁକ୍ତ,

ବଳେ ଯେ ହରଇ ନାରୀ,

‘‘ଛି ଛି ନ କୁହ ତା’ ମୋ କାନେ ସଙ୍ଗାତ

ନୁହେ ମୁଁ ନୀଚ ଆଚାରୀ ।

ଛଳେ ବଳେ କଉ- ଶଳେ ନାରୀ ଚୋରି

ନୁହେଁ ତା’ ମୋହର କର୍ମ,

ଗୁଣବତୀ ସତୀ ଚରଣ ପୂଜା ମୋ,

ହସୁ ପଛେ, ମହା ଧର୍ମ ।

ସୁରଥ- ନାରୀକୁ ପୂଜିବ ଭାଇ,

ସ୍ତ୍ରୈଣ ବୋଲି ସର୍ବେ ହସିବେ ସଂସାରେ

କହିବେ ତା’ ଲଜ୍ଜା ନାହିଁ ।

କହିଲା ବସନ୍ତ ଧୀରେ,

ଯହିଁ ନାରୀ ପୂଜା ରାଜନ୍ତି ଦେବତା

ଶୁଣିଛକି ଶାସ୍ତ୍ର-ଗିରେ ।’’

ଆର୍ଯ୍ୟଭୂମି ଚୁମ୍ୱି ହିମାନୀ ଉଜ୍ଜ୍ୱଳ

ବିରାଜିବ ଯେତେଦିନ,

ନଗ ରାଜ, ଆର୍ଯ୍ୟ ନ ଭୁଲିବେ କେବେ

ହେଲେ ହେଁ ଉଦେ ସୁଦିନ ।

ନାରୀ ପୂଜା ମହାମନ୍ତ୍ର,

ଆଦ୍ୟାଶକ୍ତି ରୂପେ ଅରୂପ ମୋହିନୀ

ସର୍ବ ସିଦ୍ଧ ସାର ତନ୍ତ୍ର

ଲକ୍ଷ୍ମୀ ସତୀ, ଭଗବତୀ

ଦେବୀ ନାମେ ନାରୀ ପୂଜା ପ୍ରଚଳିତ

ନାରୀ ତ ନରର ଗତି ।

ହୀନ ଅର୍ଥେ ମିତ୍ର ନ ଘେନ ମୋ କଥା

ଅଛି ସୁଗଭୀର ତତ୍ତ୍ୱ,

ସାରା ଚରାଚରେ ଯୁଗଳ ମିଳନେ

ଶୋଭେ ସୁନ୍ଦର ଜଗତ ।

ତେଣୁ ଆର୍ଯ୍ୟ ଶାସ୍ତ୍ରକାର

ବ୍ୟବସ୍ଥା ବିହିଲା ଚାରି ଆଶ୍ରମରେ

ଗୃହସ୍ଥ ଆଶ୍ରମ ସାର ।

ଶିକ୍ଷାସ୍ଥଳୀ ତପୋବନ

ବ୍ରାହ୍ମଣ ତନୟ ହେଲେ ହେଁ ଆମର

ଅଛି ତ ଗୃହସ୍ଥାଶ୍ରମ ।

କହିଲା ସୁରଥ, ‘‘ଆମର ନିୟମ

ଆମରି ସମାଜ ପାଇଁ,

କ୍ଷତ୍ରିୟ ସମାଜେ, ବାହୁ ବଳେ ଲାଜ

କହେ କେ କରଇ କାହିଁ ?

‘‘ଥାଉ ଥାଉ ତବ କଥା,’’

କହି ସତ୍ୟବାନ ଉଠିଲା ଆସନୁ

ଦୀର୍ଘଶ୍ୱାସେ ସୂଚି ବ୍ୟଥା ।

ମରମଚିରା କ୍ଷତର

ତର୍କ ଅସ୍ତ୍ରାଘାତେ ବଢ଼େ ସିନା ତାହା

ବହେ ରକ୍ତେ ଝର ଝର ।

ଅନୁ କରି ସତ୍ୟେ ସଖା ବେନି ଗଲେ

ଦିନାନ୍ତେ ଆଶ୍ରମ ପୁରେ,

ଅନ୍ଧ ପିତା ସେବା ଶୁଶ୍ରୂଷା କରଣେ

ସତ୍ୟବାନ ଗଲେ ଦୂରେ ।

ମାତା ମାଳବିକା ବସି

ଶାଳ ମୂଳେ ଯହିଁ ଇଙ୍ଗୁଦୀ ତଇଳ

ପଦେ ଦେଉଥିଲେ ଘଷି ।

ପ୍ରଣମିଲେ ପଦ ତଳେ,

ଆଶୀର୍ବାଦ ଶତ ଅବ୍ୟକ୍ତେ ଉଚ୍ଚାରି

ଚାହିଁଲେ ନୟନ-ଜଳେ ।

ବିମଳ ବଦନେ ନବୀନ ବୟସୀ

ରାଜକୁମାର ମଣିର,

କି ପାପେ ଜନମି ଥିଲା ଏ ରତନ

ଗରଭେ ଅଭାଗିନୀର !

ଦିନେ ନ ଜାଣିଲା ସୁଖ,

ଶତ ଦାସଦାସୀ ହାତେ ବଢ଼ିଥିଲା

ଭୁଞ୍ଜିବାକୁ ଏତେ ଦୁଃଖ ?

ନିତି ଆସେ କାଠ ହାଣି,

ପାଦେ ଫୁଟେ କୁଶ- କଣ୍ଟା, ପୀଡ଼ା ପାଏ

ପଦ୍ମ ସୁକୋମଳ ପାଣି ।

ଏହା ବି କପାଳେ ଲିହିଲା ଦଇବ

ରହିବ ଚିରକୁମାର,

ଯୁବକ ଜୀବନେ ଏ ଶୋକ ମାତାର

ବଢ଼ିଲା ହୃଦୟ ଭାର ।

କଳା କୁବଳ ଲୋଚନୁଁ

ସୁପାଣି ସାରସେ ନିବାରି ଅସାର

ବିଷାଦ ବରଜି ମନୁଁ ।

କହିଲେ ବାବୁରେ, ନିତି

ବୁଲୁ କିମ୍ପା ଏତେ ଖରାରେ ବନରେ

ଝାଳେ ତ ଯାଇଛୁ ତିନ୍ତି ।

ନାହିଁ ମା’, ମୋର କି କଷ୍ଟ, ମୁଁ ସବନ

କାମ ନ କରିବି କିପାଁ ?

ସାରା ଦିନେ ଆଜି ସପ୍ତାହର କାର୍ଯ୍ୟ

ସାରି ଅଛି ଘର ଲିପା;

ନୀବାର ଆଣିଛି ଭରି,

ବଡ଼ ବଡ଼ ପାତ୍ରେ, କୁଶ ସମିଧର

ଚିନ୍ତା ନଥିବ ତୋହରି ।

ଦୁହିଁଛି ଗୋରୁ ଯେତେକ

ଦୂରବନୁଁ ଆଜି ସକାଳେ ଆଣିଛୁ

ସୁପକ୍ୱ ଫଳ ଅନେକ

ତିନି ବନ୍ଧୁ ଆମେ ଆନନ୍ଦେ କାଟିଲୁ

ଦ୍ୱିପ୍ରହର ତରୁ ତଳେ,

ମିଷ୍ଟ ଫଳ ଭୁଞ୍ଜି ନିବାରିଲୁ ତୃଷା

ଝରଣାର ସ୍ନିଗ୍‌ଧ ଜଳେ ।

ତୁ କିପାଁ ଭାବୁ ମୋ ପାଇଁ

ସୁରଥ, ବସନ୍ତ, ଜନକ ଜନନୀ

ନ ଭାବନ୍ତି ଦୂରେ ଥାଇ ।

ଅଛି ତ ପାଶେ ତୋହର

ଦିନେ ନ ଭାବନ୍ତି ଆତ୍ମୀୟ ତାଙ୍କର

କେଉଁ ଦୂର ଦେଶେ ଘର ।

ଦ୍ୟୁମତ୍‌ସେନ ତହିଁ ଯୋଗଦେଇ ସ୍ନେହେ

କହିଲେ, ‘‘କୁମରମଣି,

ଏ କାର୍ଯ୍ୟ ତୋହର କୁଳର ନୁହେଁ ତ

ତୁ ପରା ମୋ ଆଶା-ଖଣି

ଚାରୁ ସିଂହାସନ ପତି !

ରୂପେ କେବେ ପୂଜା ପାଇବୁ ମୋ ଧନ,

କେବେ ଫେଡ଼ିବେ ଶ୍ରୀବତି !

କଷ୍ଟ ତୋହର ଦାରୁଣ

ପିତା ଦୀର୍ଘଶ୍ୱାସ ବ୍ୟଥା ଲଭି ଚିତ୍ତେ

କହିଲା ଶାନ୍ତ ତରୁଣ ।

କିବା ପ୍ରୟୋଜନ ରାଜ୍ୟେ ପିତୃଦେବ

ତବ ଶ୍ରୀପୟର ପୂତ,

ରାଜସିଂହାସନ ମଣେ ମୁଁ ମାନସେ

ସତତ ସେବା ନିଯୁକ୍ତ ।

ଥିଲେ ମୋର ମହା ଶାନ୍ତି

ତୁଚ୍ଛ ସୁଖୈଶ୍ଚର୍ଯ୍ୟ ଏ ମାୟା ସଂସାରେ

ଅଳୀକ ଅସାର ଭ୍ରାନ୍ତି ।

କହିଛ ତ ବାରମ୍ୱାର,

ଶ୍ରୀଚରଣ ପୁଣ୍ୟ କମଳ ପୂଜାର

ଦିଅ ଚିର ଅଧିକାର ।

ନବ ଯୁବକର ଏ ରୁଚିର ଗିର

ଶୁଣି ଅନ୍ଧରାଜ ମୁନି,

ଉପଯୁକ୍ତ ପୁତ୍ର ପବିତ୍ର ଗୁଣରେ

ହରଷେ ହୋଇଲେ ତୁନି ।

ତୋଳି ଜ୍ୟୋତିହୀନ ଆଖି,

ଦରଶନ ଲାଗି ଚାରୁ ଚନ୍ଦ୍ରମୁଖ

ଦେହଟା ଦେଲେ କି ଝାଙ୍କି ?

ବିଫଳ ପ୍ରୟାସେ ଆହା,

ମରମେ ମରମେ ଅନୁଭବୁ ଥିଲେ

ନେତ୍ରେ ନ ଦେଖିଲେ ଯାହା ।

ଟାଣି ବସାଇଲେ ପ୍ରେମପୂତ କୋଳେ

ଚୁମ୍ୱିଲେ କମଳାନନ,

ପିତୃସ୍ନେହ ତୁଳା କାହିଁରେ ଜଗତେ

କି ମହାନ କି ମୋହନ !

ଅଞ୍ଚଳେ ପୋଛିଲେ ଦେହ

ଜନନୀ ଆଦରେ ଶ୍ରୀକର-କଞ୍ଚୁଳି

ଝରିପଡ଼ୁଥିଲା ସ୍ନେହ !

ସ୍ୱର୍ଗାଦପି ଗରୀୟସୀ

ଜନନୀ ବାତ୍ସଲ୍ୟ- ବର୍ଣ୍ଣନେ ମୋହର

ହାରିଛି ଲେଖନୀ ମସି ।

ବିବାହର କଥା ମନେ ଘନେ ଘନେ

ପଡ଼ୁଥାଏ ଜନନୀର,

ରାଜ୍ୟହୀନ ସୁତେ କେ ଦେବ ଦୁହିତା

ତେଣୁ ଝରେ ଆଖିନୀର ।

କି ବୁଝିବ ଆହା ସତ୍ୟ,

ସାନ ପିଲା ପରି ଖେଳେ ଧୂଳିଖେଳ

କି ବୁଝେ ଜଗତ ତତ୍ତ୍ୱ ?

ନାହିଁ ଯହିଁ ଆଶା ଆଉ,

ସନ୍ତାନ ମନରେ ମାତା ହୋଇ କିପାଁ

ଜାଳିବେ ସେ ଅଗ୍ନି ଦାଉ !

ନୀରବେ ଭାବିଲେ ଶତ ଶତ କଥା

ମନ ଦୁଃଖ ମନେ ମାରି

ସାନ୍ଧ୍ୟ ସ୍ତୁତି ଲାଗି କ୍ଷଣ ଅନ୍ତେ ତହୁଁ

କୁମାର ଗଲା ବାହାରି ।

ଦୂରୁ ଶୁଣିଲେ ତା’ ସ୍ୱର,

କି ମଧୁର କଣ୍ଠେ ଗାଏ ସାମ-ଗାଥା

ବାଣୀ ଜିଣି କୋକିଳର ।

ସମାଳି ନ ପାରି ରାଣୀ

ଦୀର୍ଘଶ୍ୱାସ ତେଜି କହିଲେ ରାଜାଙ୍କୁ

କାହୁଁ କନ୍ୟାଦେବା ଆଣି ?

ଚିର ବ୍ରହ୍ମଚାରୀ ଥିବ କି ମୋ ସୁତ ?

ମୋ’ ଶ୍ୱଶୁରକୁଳ ବତୀ,

ଜୀବ ଧରି ଦେହେ ଥାଉଁ ଥାଉଁ ଆମ୍ଭେ

ଲଭିବା କିହେ ତୃପତି

କପିଧ୍ୱଜେ ରାଇ ପାଶେ,

ପରାମର୍ଶ କରି ପଚାର ହେ ରାଜା,

ସତ୍ୟ ବିବାହ ସକାଶେ,

ନ କର ବିଳମ୍ୱ ଆଉ,

ଦୀନ କନ୍ୟା ଏକ ହେଉ ପଛେ ବୋହୂ

ପୁଅଟି ମୋ ସୁଖେ ଥାଉ ।

ସବୁ ତ କରିବେ ଶ୍ରୀହରି ମୋ’ ପାଇଁ

ଅରପିଛ ସବୁ ଭାର,

କିପାଁ ହରବର ହୁଅ ରାଣୀ କ୍ଷଣେ

ତେଜ ନିଜର ବିଚାର ।

ସାହା ଆମର ଶ୍ରୀପତି,

ତାଙ୍କ ପୁଣ୍ୟାଦେଶ ନ ଲଭିଲେ ମୁହିଁ

କାହିଁରେ ନ ଦେବି ମତି ।

ଧରିଛୁ ତ ଆଶ୍ରା ଏକ,

କାଳେ କାଳେ ଭକ୍ତ-ବତ୍ସଳ ନିଜର

ନାମର ରଖିବେ ଟେକ ।

ନୀରବିଲେ ରାଜା ନୀରବରେ ରାଣୀ

ଅନାଇଲେ ସନ୍ଧ୍ୟାକାଶେ,

ଦଳେ ଦଳେ ଉଡ଼ି ଯାଆନ୍ତି ବାହୁଡ଼ି

କାକ, ବକ ନିଜ ବାସେ ।

କେ ଫେରଇ ଚରା ସାରି,

କେ ବାହାରେ ଖୋଜି ତରୁଫଳ ରାଜି,

ଚିନ୍ତା ନାହିଁ ତ କାହାରି ।

ନିୟନ୍ତା ନିୟମେ ବନ୍ଧା,

ସରବେ ସଂସାରେ ସୁଖୀ ନିଜ କାର୍ଯ୍ୟ

କିପାଁ ତାଙ୍କର ଏ ଧନ୍ଦା !

ମାଡ଼ି ମାଡ଼ି ଆସେ ନିଶା ତମୋରାଶି

ଛାଡ଼ି ଛାଡ଼ି ଆସେ ଦିନ,

ଗୋଟି ଗୋଟି ତାରା ଫୁଟି ଫୁଟି ନଭ-

ସରେ ନବୀନ ନଳିନ-

ଶ୍ରେଣୀ ନୀଳ ନୀର-ବେଣୀରେ

ଶୋଭିଲେ ସୁଆଗେ, ଚାହିଁଲେ ସରାଗେ,

ରାଣୀମଣି ଭାଳେଣିରେ ।

ଥିଲା ଦିନ ଏହିପରି

ଜଗତୀ ଉପରେ ସୁପାତି ଶୟନେ

ସେବିକା ଶତ କିଙ୍କରୀ ।

କରଙ୍କେ ଶ୍ରୀକରେ କେତକୀ-ବାସିତ

ତାମ୍ୱୁଳ ଯୋଗାଏ ଆଣି

କିଙ୍କରୀ କାଞ୍ଚନା, କମଳ ରଚନା

ଫୁଲମାଳା ମାଳି ଆଣି ।

ସେବତୀ ସତ୍ୟର ଦାସୀ

ସୁବର୍ଣ୍ଣ ଶଯ୍ୟାରେ ଦୋଳାଇ ଶିଶୁକୁ

ଶୁଥାଏ ସଙ୍ଗୀତ ଭାଷି

କେତେ ମଧୁର ଛନ୍ଦରେ ।

ବାରଟି ବରଷ ବିତିଲାଣି ଆସି,

ବୁଡ଼ିଛି ପୂର୍ଣ୍ଣିମା ଚାନ୍ଦରେ ।

ସେନାପତି କୂଟ- ଚକ୍ରାନ୍ତେ ଆଜି ସେ

ରାଜ୍ୟହୀନା ଦେଶାନ୍ତରୀ,

ହରିନେଲେ ପୁଣି ନୟନ ବେନି ଯା’

ରାଜାର ପାଷଣ୍ଡ ଅରି ।

ଦଇବ ଧରମ-ଦଣ୍ଡେ

ଉଚ୍ଚାସନେ ବସେ ଚୋର ନରହନ୍ତା

ଶାସଇ ଧରଣୀ ଖଣ୍ଡେ ।

ଏକି କୂଟ ଅବିଚାର !

ଭାବୁଁ ଭାବୁଁ ଯୁଗ- ନୟନ-କୋଣରୁ

ବହିଗଲା ଅଶ୍ରୁଧାର ।

ରୋଦନ ଶବଦେ ଅଧୀରେ କହିଲେ

ଅନ୍ଧ ରାଜଋଷି ରାଣୀ

ଏହି କି ତୁମର କର୍ତ୍ତବ୍ୟ ବିଚାର

ନେତ୍ରୁ ବୁହାଉଛ ପାଣି !

ହରି ହରି ନେଲେ ସବୁ

ଜଗତର ମାନ ଧନ ପରିବର୍ତ୍ତେ

ନିଜକୁ ଦେଲେ ସେ ପ୍ରଭୁ

ମୋ ସମ୍ପଦ ପୁଣ୍ୟ ପଦ

କିଣା କିଙ୍କର ମୁଁ ତାଙ୍କରି ପୟରେ

କାହିଁ ମୋର ଦୁଃଖ ବିପଦ !

ସୁବିଶାଳ ଶାଳ ତରୁ ତଳେ ବସି

ନିର୍ବାସିତ ରାଜାରାଣୀ,

ପ୍ରଭୁଙ୍କ ପୟରେ ପୁଣି ଅରପିଲେ

କ୍ଳେଶ କଷ୍ଟ ଦୁଃଖ ଗ୍ଳାନି ।

କ୍ଷଣକେ ତୁଟିଲା ତମ

ବିରାଜିଲା ରାଣୀ- ମାନସେ ମୋହନ

ନନ୍ଦନ ଶାନ୍ତି ସୁମନ ।

ଗଳାରେ ଅଞ୍ଚଳ ଦେଇ

ପ୍ରଣମି ଉଦ୍ଦେଶ୍ୟେ ଇଷ୍ଟ ଦେବତାର

ଭକ୍ତିରେ ବୁଡ଼ିଲେ ସେହି ।

ପତି-ପଦ ସାର ଧରମ ଆଧାର

ଥିଲା ଯେଉଁ ରମଣୀର

ବନବାସ କ୍ଳେଶେ ସହାସେ ବରିଲେ

କେବଳ କୋଳନିଧିର ।

ଭାବି ଜୀବନ ଭାବନା

କରିଥିଲା ଏତେ ବ୍ୟାକୁଳ ବିମର୍ଷ

ବିଷାଦ-ଭାରେ ବିମନା ।

ଆଜି ହରି ପଦେ ଥୋଇ

ସତ୍ୟବାନ ସୁତ ଚିନ୍ତା, ଚିତ୍ତମଳ

ଅଶ୍ରୁ-ଜଳେ ଦେଲେ ଧୋଇ ।

ଆଶ୍ରମ ବାସିନୀ ସୁହାସିନୀ ମୁନି

କୁମାରୀବୃନ୍ଦ ନନ୍ଦିକା,

ଫୁଲ୍ଲ ତାରା ଦଳ ଶୋଭିତ ନିଶୀଥ

ଶରଦ ଶୀତ ଚନ୍ଦ୍ରିକା ।

ଥିଲେ ଅତି ନିଷ୍ଠାବତୀ,

ବିଦୁଷୀ ଧର୍ମ୍ମିଷ୍ଠା ଶୁଚି ସତ୍ୟପ୍ରିୟା

ସୁକୋମଳ ସ୍ନେହମତି;

ପତି ସହ ସନ୍ୟାସିନୀ

ପୁତ୍ର ସୁକୁମାର ଚିନ୍ତାରେ ସତତ

ଥିଲେ ଅତି ବିଷାଦିନୀ ।

କୁପୁତ୍ର କୋଟିରେ କୁମାତା ଗୋଟିଏ

ସହଜେ ନ ମିଳେ ଭବେ,

ସନ୍ତାନ ଚିନ୍ତାରେ ପିତୃ ମାତୃ-ପ୍ରାଣ

ନିବେଦିତ ଲବେ ଲବେ ।

ମର୍ମଝରା ରକ୍ତଧାର

ଢାଳି ପାରେ ମାତା ସୁଖେ ହସି ହସି

କାହିଁ ତୁଳନା ତାହାର ?

ନିଃସ୍ୱାର୍ଥ ନୀରବ ପ୍ରେମ,

ପ୍ରେମ ସାର ଯଥା ଧାତୁ ରାଜ୍ୟେ ସାର

ଶୁଦ୍ଧ ସୁନିର୍ମଳ ହେମ ।

ମାଳବିକା ଗଳା- ମାଳିକା ମଣିର

ମଙ୍ଗଳ କାମନା କରି

ଧୀରେ ଧୀରେ ଉଠି ଗଲେ ଆଶ୍ରମକୁ

ନାବାରାନ୍ନ ଦୁଗ୍‌ଧ ଭରି ।

କୋମଳ ରସାଳ ଫଳ

ପାତ୍ରେ ହୁତ ପତି ପୁତ୍ରେ ପରଶିଲେ

ଚିତ୍ତ ସ୍ନେହର ସମ୍ୱଳ ।

ଏ ବେନି ପ୍ରାଣ ତାଙ୍କର

ଆଦର ପ୍ରତ୍ୟାଶି ପ୍ରେମ ସେବା ଆଶା

ଭାଳି ପୂରିଲା ଅନ୍ତର ।

ଏହି ତ ଜଗତ ମାୟାରେ ମାନବ

ମାୟା କି ମନୋମୋହନ,

ମୋହର ମୋହର ବୋଲି ମୁଁ ମରୁଛି

ମୋର ନୁହେଁ ମୋ ଜୀବନ

କର୍ମ୍ମ ପଥେ ବୁଲୁଥାଇ,

ଲକ୍ଷ ଜନମରେ ଲକ୍ଷ୍ୟ ନ ମିଳଇ

ମିଳନ୍ତି କୁଟୁମ୍ୱ ଭାଇ ।

ପିତା ମାତା ଜାୟା ପତି

ସନ୍ତାନ ସନ୍ତତି ଧନ ଦରବରେ

ପୂରେ ମୋ ମାଟି ବସତି ।

☆☆☆

 

ପଞ୍ଚମ ସର୍ଗ

 

ଝର ଝର ଝର ଭରା ବଉଦରୁ

ଝରି ପଡ଼ୁଥିଲା ଧାର,

ଥର ଥର ଥର ଥରି ଉଠୁଥିଲା

ତନୁ ତରୁ ଲତିକାର ।

ସର ସର ବହେ ସମୀର

ମରମର କଥା- ମରମେ ଉଲ୍ଲସି

ଉଠେ କି ସାବିତ୍ରୀ ଶରୀର ।

ଜର ଜର ପ୍ରେମ-ପାଣିରେ

ଝର ଝର ଆଖି ଯୋଡ଼ିକ ନିରେଖି

କହିଲା ଚପଳା ଠାଣିରେ,

ତରଳ ଗଳାରେ ମାଳତୀ,

ଗରଳ ପିଇଲୁ ଏତେଦିନେ ସଖୀ

ଜଳାଇଲୁ ପ୍ରେମ ଆଳତୀ ।

ଛନ ଛନ ମନ କିମ୍ପା ଲୋ ତୋହର

ଛାର ବନବାସୀ ପାଇଁ କି?

ଛପନ କୋଟିରେ ଗୋଟିଏ ନୃପତି-

ନନ୍ଦନ ମିଳିବେ ନାହିଁ କି ?

ଛତ୍ର ଧରିଥିବେ ଶିରେ,

ଛତ୍ରିଶ ପାଟକ, ଚରଣ ପୂଜାରେ

ଥିବେ ନିତି ସବିଧିରେ ।

ଛାମୁରେ ବଢ଼ାଇ ଖଟଣି

ଛଣା ପୀୟୂଷକୁ ବଳି ସୁଖ ତୋର

ହୋଇବ ଲୋ ଜେମାମଣି ।

ଛଟକ ବିଜୁଳିହାସୀ,

ଛି ଛି ଭୁଲ ତାହା କଥା ଲୋ ସୁନ୍ଦରୀ,

ସେ ଦରିଦ୍ର ବନବାସୀ ।

ସବୁ ସଖୀଯାକ ମାଳତୀ କଥାରେ

ମଥା ନୁଆଁଇଲେ ହସି,

ଶର ସବ ସାବି ମରମେ ବାଜିଲା

ଧୈର୍ଯ୍ୟ ତା’ ପଡ଼ିଲା ଖସି ।

ସରୋଷେ ଚାହିଁଣ ସଖୀଙ୍କି

ସୁଗମ୍ଭୀର ସ୍ୱରେ ସଂଯତେ ଭାଷିଲା

ଲାଜ ତୁମର ନାହିଁକି ?

ସମାନ ସବୁରି ବୁଦ୍ଧି,

ସତ୍ୟ ସାର ହେଳି, ବଳାଅ ମୋ ମନ

ଭଜିବା ପାଇଁକି ରୁଦ୍ଧି,

ସହୀ ଏକି ସଙ୍ଗ ଫଳ ?

ଶ୍ରବଣେ ଶୁଣିଲି ଏ ପାପ ବଚନ,

ନ ପିଇଲି ହଳାହଳ !

ବନବାସୀ ବୋଲି ଅନାଦର ଯା’ରେ

କରୁଛି ତୁମରି ମନ,

ବହୁ ତପସ୍ୟାର ଫଳ ମୁଁ ଭାବିଛି

ତା’ର ତିଳେ ଦରଶନ ।

ବିମଳ ବଦନ ଜ୍ୟୋତିରେ

ବସୁମାତୀ ମାତା ପୂତ ହୋଇଲେ କି

ଭାଳେ ମନେ ଦିନରାତିରେ ।

ବାରିଜ ରଜ ଶ୍ରୀପଦର

ବାରେ ଲଭିଲେ ମୋ ଜୀବ ଭଜିବ ଲୋ,

ଚତୁବର୍ଗ ଫଳ ଜନ୍ମର,

ବୀଣାଜିରା ବାଣୀ କଣ୍ଠର

ବାରେ ଶୁଣିଲେ ଏ ଶରୀର ତରିବ

ତ୍ରିତାପ ଜ୍ୱାଳାରୁ ଭବର ।

କହିଲା ମାଧବୀ, ବାନ୍ଧବୀ ନ ଧର

ରୋଷ ଆମ କଥା ଛଳରେ,

କରୁଣା କୋମଳ ମନଟି ତୋହର

ଚିରକାଳ ଜାଣୁ ଭଲରେ ।

କପଟ ନ କର ସଖୀଙ୍କି

କି ଗୁଣ ଦେଖି ତୁ ଭୁଲିଲୁ କମଳା,

ଅରପିଲୁ ପ୍ରାଣ କାହିଁକି ?

କନ୍ଦରପ ରୂପ ଦରପେ

କଳାକର ଜିତ- ବଦନା କହ ନା

କିମ୍ପା ଭୁଲିଗଲୁ ଅଳପେ ?

କଳେ କଉଶଳେ କେହି ତ

କେବେ ପାରି ନାହିଁ, ମନ କିଣି ତୋର,

ଦୂରୁ ଦେଖି ହେଲୁ ମୋହିତ ?

ନୟନେ ନୟନ ପଡ଼ିଲା ମାତରେ

ଛାତି ଧଡ଼ ଧଡ଼ ତୋହରି,

ନ ଶୁଣିଲୁ କାହା ବିନୟ ବଚନ

ଆଶ୍ରମେ ନ ଗଲୁ ସୁନ୍ଦରୀ ।

ଚୋରିକ କଲା ଲୋକ ପରାଏ

ଚଞ୍ଚଳ ଚରଣେ ବାହୁଡ଼ି ଅଇଲୁ

କି କଥା କହନି ଭଲା ଏ ?

କିଏ ଜାଣିଥିଲା ତୋ ମନ ?

କୁଣ୍ଠିତ ହେଲୁ ତୁ ଆଶ୍ରମ ଦର୍ଶନେ

ଆସି ଏ ସୁଦୂର କାନନ ।

ଆସିଥିଲୁ ଯାହା ପାଇଁକି

ଆନନ୍ଦରେ ଥରେ ଦେଖି ନେଇଥିଲେ

କିଏ କହିଥାନ୍ତା ନାହିଁ କି ?

କହିଲା ସାବିତ୍ରୀ ଆଶ୍ରମ ବାସ ତ

ଅଛି ମୋ କପାଳେ ଦିନେ

କିପାଁ ପରିଚୟ କରିଥାନ୍ତି ଆଗୁଁ

ଦୁଃଖ ଦେଇ ଧନହୀନେ

ରାଜକୁମାରୀର ବେଶେ

ସୁରଙ୍ଗ ରାଜୀବ- ଚରଣ ଭେଟିବା

ବ୍ୟଥା ଦେବ ସବିଶେଷେ ।

ଯେ ଦିନେ ବନବାସିନୀ–

ବେଶେ ସୁବିଧିରେ ବସିବି ପୟରେ

ଆସେ ସେଦିନ ସଙ୍ଗିନୀ ।

ଓହ୍ଲାଇବି ଅଳଙ୍କାରେ,

ସାଜିବି ଶରୀର ତରୁ ବଳକଳେ

ପିନ୍ଧି ସଜ ଫୁଲହାର ।

ନୀରବ ନୟନେ ନଳିନ – ନୟନା

ବଦନେ ଚାହିଁଲେ ଧୀରେ,

ଅତି ସୁକୁମାରୀ କୁମାରୀ ପଣରେ

ବୁଡ଼ିଲେ କି ଭାଳେଣିରେ ।

ଏ କଷ୍ଟ ଦେବ ଦଇବ

କୁଶାଙ୍କୁର ପ୍ରାସ ପଙ୍କଜ ପୟର

କହ କିପରି ସହିବ ?

କର୍କଶ ବଳ୍‌କଳେ ପୁଣି

ଝୀନ କଉଷେୟ ବସନ ଧନୀର

କ୍ଳେଶ ରାଶି ହେଲେ ଗୁଣି ;

ଏ କି ଅଦ୍‍ଭୁତ କଥା,

କିଛି କହିବାକୁ ନୋହିଲା ସାହସ

ଦେଖି ସଖୀର ଦୃଢ଼ତା ।

ସ୍ୱଭାବେ ଗମ୍ଭୀରା, ସଖୀଙ୍କି ସାବିତ୍ରୀ

ନ କହିଲେ ଆତ୍ମ କଥା,

ଦୂର ଗଗନକୁ ଚାହିଁ ନିବାରିଲେ

ନୟନ ମନର ବ୍ୟଥା ।

ଫେରୁଛନ୍ତି ନିଜ ଘର

ସ୍ୱୟଂବର କଥା ଶୁଣି କି ଭାବିବେ

ବତ୍ସଳ ମାତା ପିଅର ।

ବରିଲା ବନବାସୀ କି

ଅନୁମତି ପରା ଦେଇଥିଲେ ପିତା

ଦେବେ ଦୋଷ ସେ କାହିଁକି ?

ଗୁଣବାନ ସତ୍ୟବାନ

ଧର୍ମ-ଧୀର-ମତି ବୀର ପ୍ରାଜ୍ଞ ଯତି

ଆଦର୍ଶ କ୍ଷତ୍ର ସନ୍ତାନ ।

ମାତାର ମୁଖଟି ମନେ ପଡ଼ୁଥାଏ

ବଢ଼ୁଥାଏ ବ୍ୟାକୁଳତା,

ମରମେ କାନ୍ଦିବେ ଶେଷେ ସ୍ନେହମୟୀ

ଭାଳି ଦୁହିତାର ବ୍ୟଥା ।

ବନବାସ କ୍ଳେଶ-ରାଶି

ମିଳିଲା କପାଳେ ମହାନିଧି ଆହା

ଅବଧି ଦେଲା ବିନାଶି ।

ଅମା ନିଶି ଯଥା ଶଶୀକି,

ମିଳିନ୍ଦ ମାଗଇ ମକରନ୍ଦ ପାନ

କମଳ କୋଳରେ ପଶିକି ?

ପୀୟୂଷ ପାତ୍ରରେ ବିନ୍ଦୁଟି

ବିଷ ପରଶିଲା ବିହି କି ବିଚାରେ

ଲୁଣି କଲା ନୀଳ ସିନ୍ଧୁଟି ।

ସୁଖ ଦୁଃଖ ବେନି ଘେନି ଏ ଅବନୀ

ଏଡ଼େ ମାୟାମୟ ମରତେ,

ସୁଖ ଖୋଜି ଖୋଜି ଶୋକରେ ସଢ଼ନ୍ତି

ସୁଖ ଆଶାଟି ତ ବରତେ ;

ପୂରୁ କି ନ ପୂରୁ କାମନା

ସମ୍ପତ୍ତି ସନ୍ତତି ସବୁରି ବାସନା

ସହି ପଛେ ଶତ ଯାତନା

କି ମାୟା ଅଞ୍ଜନ ନୟନେ-

ସାର ତେଜି ଗଳା- ହାର କରିଛନ୍ତି

ଯା ଲାଗି ମରନ୍ତି ଜୀବନେ ।

ରାଜ୍ୟ ସିଂହାସନ ନ ଥାଇ

ସତ୍ୟବାନ କେଉଁ ଗୁଣେ ଊଣା କିନ୍ତୁ

କେହି ନ କରେ ତା’ ବଡ଼ାଇ ।

ବଡ଼ ଜଗତରେ ପଦ ଗଉରବ

ସୁନା ରୁପା ମାଟି ବିକାର,

ବଡ଼ ଜଗତରେ କନକ ଆସନ

ରାଜଛତ୍ର ସୈନ୍ୟ ସମ୍ଭାର;

ଗୁଣମଣି ଚିହ୍ନେ ବଣିଆ

ବାହାର ଝଟକ ପରଖି ନେବାର

ଏକା ସେ ମଣିଷ-ପଣିଆ

କିପାଁ ମନ ଏଡ଼େ ବିରସ ?

ବରିଲି କାନନ- ଚାରି କୁମାରକୁ

କଣ୍ଟକିତ ଫୁଲ ସରସ ।

କଣ୍ଟକିତ କିଆ କେତକୀ

ବନେ ଫୁଟି ବନେ ମଉଳେ ବୋଲି କି

ନ ରସିବି ବନମଲ୍ଲୀ କି ?

କି ତେଜ-ପୁଞ୍ଜରେ ଝଲସାଇ ଆଖି

ଉଭା ହୋଇଥିଲେ ସେଦିନ,

ରୂପ ଗରିମାରେ ନୃପକୁମାରୀ ମୁଁ

ନିଜକୁ ମଣିଲି କି ହୀନ ।

ସହଚର ବେନି ମଝିରେ

ପର୍ବ-ଶର୍ବରୀଶ ପରାଏ ଶୋଭିଲେ

ଜବା କି ଯୁଥିକା କତିରେ ?

ଆହା ସେଦିନର ଠାଣିକି

ଭୁଲିପାରିବ କି ଏ ନୟନ ମୋର

ପିଇଛି ଯେ ସୁଧା ଛାଣି ଟି ?

କି ଥିଲି କି ହେଲି ନିମିଷେ,

ନବ ନୀରଧର ନୀଳ ଇନ୍ଦୀବର

ଶୋଭା ଚାହିଁ ମରେ କୁଳିଶେ ।

ପ୍ରେମ ପୁଲକରେ ନ ପଡ଼େ ପଲକ

ଅକଳଙ୍କ ବାମା ନୟନେ,

ଶ୍ରାବଣର ଧାରା ବାଜେ ଘନ ଘନ

ସରମ-ସରସ ମରମେ ।

ସ୍ୱଭାବେ ତ ବନ ଭୂଇଁ

ବରଷା ସକାଶେ ଆଶା ଘେନିଥିଲେ

ପଡ଼ିଥିଲା ମହୀ ଛୁଇଁ ।

ଯହିଁ ଗହନ ଓହଳ

ବିଶାଳ ବଟର, କୁଟୀର ରଚନା

କରିଥିଲେ ସଙ୍ଗୀ ଦଳ ।

ଫେରୁଥିଲେ ଦେଶେ ପରା ?

ସେନାପତି ସାତ- ବାହନ ପୁରୁଷୋତ୍ତମ

ମନ୍ତ୍ରୀ ଅତି ତ୍ୱରା ।

ଜାଣି ନେଇଥିଲେ ସରବେ ସାବିତ୍ରୀ

ସତ୍ୟବାନର ବରଣ,

କିଛି ନ କହିଲେ ସଚିବ ପ୍ରାଚୀନ

ଭଳି ନରେଶ ବାରଣ ।

କିନ୍ତୁ ସେନାପତି ସଙ୍ଗରେ

କହିଲେ ଗୋପନେ, ବନବାସ କେଳି

କିପରି ବହିବେ ଅଙ୍ଗରେ ?

ସୁକୁମାରୀ ରାଜକୁମାରୀ,

କହେ ସପ୍ତରଥୀ ସପତ-ବାହନ

ମନରେ ଦେଖ ହେ ବିଚାରି ।

ଏକମାତ୍ର ସୁତ ପିତାର

ଗୃହ ଜାମାତାର ପଦରେ କରିବେ

ନାହିଁ ତହିଁ କ୍ଷୋଭ ଧିକ୍‌କାର ।

Image